ତାଲାବନ୍ଦ ଘରେ ନିଆଁ ଲାଗି ଜଳିଗଲା କାଠ ସାମଗ୍ରୀ

ବ୍ରହ୍ମପୁର ଅଫିସ,୨୭ା୩: ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ଅଧୀନ ଟାଟାବେଞ୍ଜ୍‌ ଛକରେ ଥିବା ଏକ ତାଲାବନ୍ଦ ଘରେ ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଘର ଭିତରେ ଥିବା ଲକ୍ଷାଧିକ ଟଙ୍କାର କାଠ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାଥମିକ ଅନୁସନ୍ଧାନରୁ ଉକ୍ତ ଘରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅନୁମାନ କରାଯାଉଛି।

ପ୍ରକାଶ ଯେ, ଟାଟାବେଞ୍ଜ୍‌ ଛକରେ ଥିବା ଏକ ହୋଟେଲର ଜଣେ କର୍ମଚାରୀ ସୁନୀଲ ପାତ୍ର ତାଙ୍କ ହୋଟେଲ ନିକଟ ଏକ ଘରେ ନିଆଁ ଲାଗିଥିବା ନେଇ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ଘର କବାଟ ଭାଙ୍ଗି ନିଆଁକୁ ଆୟତ୍ତ ପାଇଁ ଭିତରକୁ ଯାଇଥିଲେ। ସେଠାରେ କାଠସାମଗ୍ରୀ ମହଜୁଦ ରହିଥିବା ବେଳେ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଥିଲା। ଏହାଛଡ଼ା ଉକ୍ତ ଘରେ କାଠର କବାଟ, ଦୁଆରବନ୍ଧ, ପଟା ଓ ଅନ୍ୟାନ୍ୟ ଆସବାବ ପତ୍ର ରହିଥିବା ଜଣାପଡ଼ିଥିଲା। ହେଲେ ଉକ୍ତ କାଠସାମଗ୍ରୀ ଓ ଆସବାବପତ୍ର ସବୁ ନିଆଁ ଲାଗି ପୋଡ଼ି ଯାଇଛି।