Categories: ଜାତୀୟ

ଦିଲ୍ଲୀ ଯାଉଥିବା ଟ୍ରେନ୍‌ରେ ଲାଗିଲା ନିଆଁ

ମିରଟ,୫।୩: ଉତ୍ତରପ୍ରଦେଶର ସହରାନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ଶନିବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ମିରଟର ଦୌରାଲା ଷ୍ଟେସନରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି। ଏହି ଘଟଣାରେ କେହି ମୃତାହତ ହୋଇ ନ ଥିବା ସୂଚନା ରହିଛି। ତେବେ ଏହି ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ସର୍ଟଶର୍କିଟ ଯୋଗୁ ଏହି ଦୁର୍ଘଟଣା ଘଟିଥାଇପାରେ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଦୌରାଲା ଷ୍ଟେସନ ନିକଟରେ ସହାରାନପୁରରୁ ଦିଲ୍ଲୀ ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ର ଇଞ୍ଜିନ ଓ ବଗିରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଏହାକୁ ଦେଖି ଯାତ୍ରୀମାନେ ଡ୍ରାଇଭରଙ୍କୁ ସତର୍କ କରାଇଥିଲେ। ଟ୍ରେନରେ ନିଆଁ ଲାଗିବା ମାତ୍ରେ ସବୁଠାରୁ ପ୍ରଥମେ ବଗିକୁ ଅଲଗା କରାଯାଇଥିଲା। କିଛି ଯାତ୍ରୀଙ୍କ ସାହାଯ୍ୟରେ ଟ୍ରେନ୍‌ର ଅନ୍ୟ ବଗିଗୁଡ଼ିକୁ କାଟି ଅଲଗା କରାଯାଇଥିଲା। ତେବେ ଇଞ୍ଜିନରେ ନିଆଁ ଲାଗିବାରୁ ପଛ ବଗିକୁ ମଧ୍ୟ ଏହି ନିଆଁ ବ୍ୟାପିଯାଇଥିଲା। ଘଟଣାସ୍ଥଳରେ ୭ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅନ୍ୟପଟେ ଦମକଳ ଗାଡ଼ି ପହଞ୍ଚିବା ବେଳକୁ ଇଞ୍ଜିନ ସମେତ ଦୁଇଟି ବଗିରେ ନିଆଁ ଲାଗି ପାଉଁଶ ହୋଇଯାଇଥିଲା।

Share