କେନ୍ଦୁଝର,୧୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼କାଳିମାଟିତଠାରେ ଥିବା ସରକାରୀ ଓଜନ କଣ୍ଟାରେ ବୁଧବାର ନିଆଁ ଲାଗିଯିବାରୁ ଏହା ଭିତରେ ଥିବା ବହୁ କାଗଜପତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ରାସ୍ତା ଜାମ୍ ଯୋଗୁ ଦମକଳ ଗାଡ଼ି ପହଞ୍ଚିବାରେ ବିଳମ୍ବ ହୋଇଥିଲା। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡୁନଥିଲେ ହେଁ ଶର୍ଟ୍ସର୍କିଟ ଯୋଗୁ ଜଳି ଯାଇଥିବା କୁହାଯାଉଛି।
ପ୍ରକାଶ ଯେ, ଆଜି ମଧ୍ୟାହ୍ନରେ ଉକ୍ତ କଣ୍ଟେନରରେ ନିଆଁ ଲାଗିଯିବାରୁ ହଠାତ୍ ଧୂଆଁ ଉଠିବାର ଦୃଶ୍ୟ କଣ୍ଟା କର୍ମଚାରୀ ଦେଖିବାକୁ ପାଇଥିଲେ। ଫଳରେ ପାଖରେ ଥିବା ଆର୍ସେଲର ମିତ୍ତଲ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଫୋନ କରି ଦମକଳ ବାହିନୀଙ୍କୁ ପଠାଇବା ପାଇଁ ଅନୁରୋଧ କରିଥିଲେ। ସଙ୍ଗେ ସଙ୍ଗେ କମ୍ପାନୀ ଦମକଳ ବାହିନୀ ଗାଡ଼ି ଆସି ନିଆଁକୁ କରାୟତ କରିଥିଲା। ତେବେ ରାସ୍ତା ଜାମ ଯୋଗୁ ଗାଡ଼ି ସଠିକ୍ ସମୟରେ ପହଞ୍ଚି ପାରି ନ ଥିଲା। ଫଳରେ ଘଟଣାସ୍ଥଳରେ ନିଆଁ ଲିଭା ଗାଡ଼ି ପହଞ୍ଚିବା ବେଳକୁ ସମସ୍ତ କାଗଜପତ୍ର ଅଧାରୁ ଅଧିକାଂଶ ଜଳିଯାଇଥିଲା। ଏହି ସରକାରୀ ଓଜନକଣ୍ଟା ଠାରେ ବହୁ ବର୍ଷ ପୂର୍ବରୁ ଘଟିଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ସେମାନେ ଖଣି ବିଭାଗକୁ ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ହୋଇଥିବା କଣ୍ଟେନରରେ ଏମ୍ସିଭି ସୁଇଜ୍ ଲଗାଯାଇ ପାରିଲାନାହିଁ। ଫଳରେ ଏଭଳି ପରିସ୍ଥିତି ଉପୁଜିଥିବା କୁହାଯାଉଛି।
ଏଠାରେ ଦୀର୍ଘ ବର୍ଷରୁଥିବା ଟିପି ଓ ଚାଲାଣ ସବୁ ଜଳିପୋଡ଼ି ପାଉଁଶ ହୋଇଗଲା । ଏଣୁ ଏ ନେଇ ଅବହେଳା କରିଥିବା ବିଭାଗୀୟ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।
ଗୁରୁତ୍ୱପୂର୍ଣ୍ଣ ଓଜନ ସମ୍ବନ୍ଧୀୟ ନଥିପତ୍ର ପୋଡ଼ି ଜଳି ନଷ୍ଟ ହେବା ନିହାତି କିଛି ଗୂଢ଼ ରହସ୍ୟ ରହିଛି। ବଡ଼ବଡ଼ ଖଣି କମ୍ପାନୀ, ଟ୍ରାନ୍ସପୋର୍ଟରମାନେ କେମିତି ଓଜନରେ ହେରଫେର କରି ଖଣିଜ ପଦାର୍ଥର ବ୍ୟାପକ ଲୁଟ କରୁଥିଲେ ସେମାନଙ୍କ ନିମନ୍ତେ ନିଶ୍ଚୟ ଆଶ୍ବସ୍ତି ଆଣି ଦେଇଥିବ ବୋଲି କହିଛନ୍ତି ସ୍ଥାନୀୟ ନେତା ଗୁରୁ ବକ୍ସସିଂହ ଆଲୁଓ୍ବାଲିଆ।