ମାଛକୁଣ୍ଡ ଜଳବିଦ୍ୟୁତ୍‌ କେନ୍ଦ୍ରରେ ଲାଗିଲା ନିଆଁ, ଲିଭାଇବାକୁ ଯାଇ ଯନ୍ତ୍ରୀ…

ନନ୍ଦପୁର/ଲମତରପୁଟ,୨୩ା୫(ତୁଷାରକାନ୍ତ ମହାନ୍ତି/ଭକ୍ତରାମ ବାଙ୍କିଆ): କୋରାପୁଟ ଜିଲା ଲମତାପୁଟ ବ୍ଲକରେ ଥିବା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ଶନିବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ନଷ୍ଟ ହୋଇଯାଇଛି।

ସୂଚନାନୁଯାୟୀ, ହାଇ ଭୋଲଟେଜ୍‌ ଯୋଗୁ ପ୍ଲାଣ୍ଟରେ ଥିବା ୫ଟି ଟର୍ବାଇନ ବନ୍ଦ କରିବା ବେଳେ ୪ଟି ବନ୍ଦ ହୋଇ ଯାଇଥିବାବେଳେ ଗୋଟିଏ ବନ୍ଦ ହୋଇ ନ ଥିଲା। ଉକ୍ତ ଟର୍ବାଇନ ଓ ପ୍ୟାନେଲ ବୋର୍ଡରେ ନିଆଁ ଲାଗିଥିଲା। ଏହା ପ୍ଲାଣ୍ଟର ଅନ୍ୟାନ୍ୟ ଅଞ୍ଚଳକୁ ବ୍ୟାପି ଯାଇଥିଲା ଯାହା ଫଳରେ ନିଆଁ ଆହୁରି ତୀବ୍ର ହୋଇଥିଲା।

ସୂଚନା ପାଇବା ପରେ, ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପାଇଁ ଘଟଣାସ୍ଥଳକୁ ଯାଇଥିଲେ। ସୂଚନାରେ ଆହୁରି କୁହାଯାଇଛି ଯେ, ଦୁର୍ଘଟଣାରେ ନଷ୍ଟ ହୋଇଥିବା ବୈଦ୍ୟୁତିକ ଉପକରଣ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଅଗ୍ନିକାଣ୍ଡ ପଛର କାରଣ ସଟ୍‌ସର୍କିଟ ବୋଲି ଅନୁମାନ କରାଯାଉଛି। ସଠିକ କାରଣ ଜାଣିବାକୁ ଚେଷ୍ଟା କରାଯାଉଛି। ନିଆଁ ଲିଭାଇବାକୁ ଯାଇ ଜଣେ ସହକାରୀ ଯନ୍ତ୍ରୀ ଆହତ ହୋଇଛନ୍ତି।
୨୦୦୮ରେ, ଜଳ ବିଦ୍ୟୁତ୍‌ କେନ୍ଦ୍ରରେ ସମାନ ଅଗ୍ନିକାଣ୍ଡ ଘଟିଥିଲା କିନ୍ତୁ ଏଥର ପ୍ଲାଣ୍ଟରେ ବିପୁଳ ସମ୍ପତ୍ତି କ୍ଷତି ହୋଇଛି। ଆଗକୁ ବିଦ୍ୟୁତ୍‌ ଯୋଗାଣକୁ ମଧ୍ୟ ପ୍ରଭାବିତ କରିବ ବୋଲି ଅନୁମାନ କରାଯାଉଛି।

Dharitri – Odisha’s No.1 Odia Daily

Share