ପୁରୀ ରେଲଓ୍ବେ ଷ୍ଟେଶନରେ ଅଗ୍ନିକାଣ୍ଡ

ପୁରୀ ଅଫିସ,୧୨।୩: ପୁରୀରେ ଅଗ୍ନିକାଣ୍ଡ ଥମିବାର ନଁା ଧରୁନି। ଗତ ୩ଦିନ ମଧ୍ୟରେ ବଡ଼ଦାଣ୍ଡସ୍ଥିତ ଲକ୍ଷ୍ମୀ ମାର୍କେଟ କମ୍ପ୍ଲେକ୍ସ ଓ ନୀଳାଦ୍ରି କମ୍ପ୍ଲେକ୍ସରେ ନିଅଁା ଲାଗିଥିବାବେଳେ ଶନିବାର ପୁଣି ଏକ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥର ଅଗ୍ନିକାଣ୍ଡ କୌଣସି ମାର୍କେଟ କମ୍ପ୍ଲେକ୍ସ ନୁହେଁ, ବରଂ ପୁରୀ ରେଲଓ୍ବେ ଷ୍ଟେଶନ ପରିସରରେ ଘଟିଛି। ଶନିବାର ସକାଳେ ରେଲଓ୍ବେ ଷ୍ଟେଶନ ଏକ ନମ୍ବର ପ୍ଲାଟଫର୍ମର ୧୦ନଂ. ଟ୍ରାକ ନିକଟରେ ନିଅଁା ଲାଗିଯାଇଛି। ରେଳ ଧାରଣା କଡ଼ରେ ଥିବା ଅଳିଆ ଗଦାରେ ନିଆଁ ଲାଗିଯିବାରୁ ଏହି ଅଗ୍ନିକାଣ୍ଡ ହୋଇଛି। ଖବରପାଇ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲା। ଅପରପକ୍ଷେ ନିଆଁ ଲାଗିଥିବା ସ୍ଥାନର ଅଳ୍ପ ଦୂରରେ ଏକ ରେଳ ଇଞ୍ଜିନ ମଧ୍ୟ ଥିଲା। ତେବେ ସେଥିରେ ନିଆଁ ଲାଗିବା ଆଶଙ୍କା ଥିବାରୁ ରେଳ କର୍ମଚାରୀମାନେ ଉକ୍ତ ଇଞ୍ଜିନକୁ ସ୍ଥାନାନ୍ତର କରିଥିଲେ। ତେବେ ଘଟଣା ସମ୍ପର୍କରେ ଡେପୁଟି ଫାୟାର ଅଫିସର ନାରାୟଣ ଦାସଙ୍କ କହିବା ଅନୁଯାୟୀ, ଶନିବାର ସକାଳ ପ୍ରାୟ ୯ଟା ବେଳେ ରେଲଓ୍ବେ ଷ୍ଟେଶନର ୧ନଂ. ପ୍ଲାଟଫର୍ମ ନିକଟରେ ନିଆଁ ଲାଗିଥିବା ନେଇ ରେଲଓ୍ବେ କର୍ମଚାରୀଙ୍କ ପକ୍ଷରୁ ସୂଚନା ଆସିଥିଲା। ଖବରପାଇ ଅଗ୍ନିଶମ କର୍ମଚାରୀମାନେ ସେଠାରେ ପହଞ୍ଚତ୍ ନିଆଁକୁ ଆୟତ୍ତ କରିଥିଲେ। ତେବେ ଯେଉଁ ସ୍ଥାନରେ ନିଆଁ ଲାଗିଥିଲା, ସେ ସ୍ଥାନରେ ରେଳ ବିଭାଗର ଅଦରକାରୀ ଜିନିଷ ବା ଅଳିଆ ପକାଯାଇଥାଏ। ବର୍ତ୍ତମାନ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। କୌଣସି ବ୍ୟକ୍ତି ବିଡି କିମ୍ବା ସିଗାରେଟ ଖାଇ ପକାଇବା ଫଳରେ ଅଳିଆରେ ନିଆଁ ଲାଗି ବ୍ୟାପିଥିବା ଅନୁମାନ କରାଯାଉଛି। ନିଆଁ ଲିଭାଇବା କାର୍ଯ୍ୟରେ ୧୫ଜଣ କର୍ମଚାରୀ ନିୟୋଜିତ ହୋଇଥିବା ବେଳେ ଦୁଇଟି ଦମକଳ ଗାଡ଼ି ଆସିଥିଲା। ଅଧଘଣ୍ଟାଏ ମଧ୍ୟରେ ନିଆଁକୁ ଆୟତ୍ତ କରାଯାଇଛି। ଅଗ୍ନିକାଣ୍ଡରେ କୌଣସି ଜୀବନହାନି କି କ୍ଷୟକ୍ଷତି ହୋଇ ନଥିବା ଦାଶ କହିଛନ୍ତି।