ନୟାଗଡ଼ ଟାଉନ ଷ୍ଟେଶନରେ ବ୍ୟାପକ ପୋଡ଼ାଜଳା: ଷ୍ଟେଶନ ମ୍ୟାନେଜର ଆହତ, ୨ ଅଟକ

ନୟାଗଡ଼ ଅଫିସ,୧୨।୪: ଟାଉନ ଷ୍ଟେଶନରେ ରବିବାର ରାତିରେ ବ୍ୟାପକ ପୋଡ଼ାଜଳା ଓ ଭଙ୍ଗାରୁଜା ହୋଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଷ୍ଟେଶନ ମ୍ୟାନେଜର ଏବଂ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ଅଟକ ଅଛନ୍ତି। ଗତକାଲି ରାତିରେ ୧୧ଜଣ ଦୁର୍ବୃତ୍ତ ଟାଉନ ଷ୍ଟେଶନ ନିକଟରେ ମଦ୍ୟପାନ କରି ଡିଜେ ବଜାଇ ହୋ-ହଲ୍ଲା କରିଥିଲେ। ଦୀର୍ଘ ସମୟ ଧରି ଏପରି ଚାଲିବା ପରେ ଷ୍ଟେଶନର ଦୁଇ କର୍ମଚାରୀ ଏହାକୁ ବିରୋଧ କରିଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଦୁର୍ବୃତ୍ତମାନେ ଦୁଇ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାଦେଖି ଷ୍ଟେଶନ ମ୍ୟାନେଜର ଘଟଣାସ୍ଥଳକୁ ଯାଇଥିଲେ। ଦୁର୍ବୃତ୍ତ ମାନେ ଏକ ଲୁହା ରଡ୍‌ରେ ତାଙ୍କ ମୁଣ୍ଡକୁ ମଧ୍ୟ ଆକ୍ରମଣ କରିଥିଲେ। ଏଥିରେ ଷ୍ଟେଶନ ମ୍ୟାନେଜର ଗୁରୁତର ହୋଇଛନ୍ତି। ପରେ ଦୁର୍ବୃତ୍ତମାନେ ଷ୍ଟେଶନ ଭିତରକୁ ଯାଇ ବ୍ୟାପକ ଭଙ୍ଗାରୁଜା କରିବା ସହ ପୋଡ଼ାଜଳା କରିଥିଲେ। ଷ୍ଟେଶନ ଭିତରର ବହୁ କାଗଜପତ୍ର ଏବଂ ଆସବାବପତ୍ର ପୋଡ଼ିଯାଇଥିବା ଦେଖିବାକୁ ମିଳିଛି। ଖବରପାଇ ଟାଉନ ଥାନା ପୋଲିସ ଏବଂ ଖୋର୍ଦ୍ଧା ରୋଡ୍‌ରୁ ଆର୍‌ପିଏଫ୍‌ ଅଧିକାରୀମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ନିଆଁ ଲଗାଇଥିବା ଜଣେ ଯୁବକ କାହ୍ନା ପ୍ରଧାନଙ୍କୁ ଷ୍ଟେଶନ କର୍ମଚାରୀମାନେ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଥିବାବେଳେ ଅନ୍ୟମାନେ ଫେରାର୍‌ ହୋଇଯାଇଛନ୍ତି। କରୋନା ପାଇଁ ଦୀର୍ଘଦିନ ହେଲା ନୟାଗଡ଼କୁ ରେଳ ଚଳାଚଳ ବନ୍ଦ ରହିଥିବାବେଳେ ଏହି ଅଞ୍ଚଳ ନିଶାଡ଼ିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ସୁଦ୍ଧା ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା । ଦୀର୍ଘଦିନ ପରେ ୧୩ତାରିଖ ଠାରୁ ନୟାଗଡ଼କୁ ଟ୍ରେନ ଚାଲିବାକୁ କାର୍ଯ୍ୟକ୍ରମ ଥିବାବେଳେ ଗତ ରାତିର ଘଟଣା ଏହା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି।