କୋଭିଡ୍‌ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ୧୧ ମୃତ

ବିଜୟଓ୍ବାଡ଼ା, ୯।୮: ଏବେ କୋଭିଡ୍‌ କେୟାର ସେଣ୍ଟର ମଧ୍ୟ ଆକ୍ରାନ୍ତଙ୍କ ପାଇଁ ସୁରକ୍ଷିତ ନୁହେଁ। ୩ ଦିନତଳେ ଗୁଜରାଟର ଅହମଦାବାଦ୍‌ଠାରେ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା। ସେହିପରି ରବିବାର ଭୋର ୫ଟା ୯ରେ ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡାରେ କୋଭିଡ୍‌ କେୟାର ସେଣ୍ଟର ଭାବେ ବ୍ୟବହାର କରାଯାଉଥିବା ଏକ ହୋଟେଲରେ ଅଗ୍ନିକାଣ୍ଡ ଘଟି ୧୧ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ଥିବା କୁହାଯାଉଛି। ହୋଟେଲରେ ୩୦ ଜଣ କରୋନା ଆକ୍ରାନ୍ତ ଏବଂ ୧୦ ଜଣ କର୍ମଚାରୀ ଥିଲେ। ୩୦ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହି ଘଟଣାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି। କରୋନା ଆକ୍ରାନ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଭଳି ଅଗ୍ନିକାଣ୍ଡ ଲାଗିଲା ତାହାର ତଦନ୍ତ ଜାରି ରହିଛି। ତେବେ ବିଦ୍ୟୁତ୍‌ ଶର୍ଟ ସର୍କିଟ୍‌ ଯୋଗୁ ଏଭଳି ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ପୋଲିସ କମିଶନର ବି. ଶ୍ରୀନିବାସୁଲୁ ସୂଚନା ଦେଇଛନ୍ତି।

Share