ଲୋକଙ୍କୁ ଅସ୍ତବ୍ୟସ୍ତ କରୁଛି ପାରାଦୀପ ଶିଳ୍ପ କାରଖାନାର ନିଆଁ-ଧୂଆଁ, ଦିନ ଅପେକ୍ଷା ରାତିରେ…

ମହାକାଳପଡ଼ା,୨୯ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): ବଙ୍ଗୋପସାଗର ବାୟୁମଣ୍ଡଳରେ ତାତି ପ୍ରବାହ ସ୍ଥଳମୁହଁା ପ୍ରଭାବରେ ଜଳବାୟୁରେ ତାପମାତ୍ରା ବୃଦ୍ଧି ପାଇଛି। ଏଥିଯୋଗୁ ସମୁଦ୍ର ଉପକୂଳବର୍ତ୍ତୀ ବାସିନ୍ଦା ଉତ୍ତାପରେ ଛଟପଟ ହେଉଛନ୍ତି। ଏହାସହିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମହାନଦୀ ଅପରପାର୍ଶ୍ୱରେ ପାରାଦୀପ ଶିଳ୍ପ କାରଖାନାର ନିଆଁ, ଧୂଆଁ ଓ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ତଥା ପରିବେଶପ୍ରେମୀ ସମରେନ୍ଦ୍ର ମାହାଳି, ବିରଞ୍ଚତ୍ ନାରାୟଣ ଦାସ, ଲକ୍ଷ୍ମୀକାନ୍ତ ସ୍ବାଇଁ, ସୁବାସ ସ୍ବାଇଁ। ଦିନ ଅପେକ୍ଷା ରାତିରେ ବେଶି ଗରମ ଅନୁଭୂତି ହେଉଛି। ଦିନ ୮ଟାଠାରୁ ମୁଣ୍ଡଫଟା ଖରା, ଗୁଳୁଗୁଳି ଅନୁଭୂତ ହେଉଛି। ପୂର୍ବାହ୍ନ ୧୧ଟାରୁ ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଛି। ବିଶେଷକରି ପାରାଦୀପ ଶିଳ୍ପ କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ସହ ଏହି ବ୍ଲକର ଜଙ୍ଗଲ ସମେତ ବାଡ଼ିବଗିଚାରେ ପନିପରିବା, କାଜୁ, ଆମ୍ବ, ନଡ଼ିଆ ଗଛ ପତ୍ରରେ କଳା କଳା ତୈଳ ଆସ୍ତରଣ ଦେଖିବାକୁ ମିଳୁଛି। ବିଶେଷକରି ବତୀଘର, ରାମନଗର, ଜମ୍ବୁ, ଖରିନାସି, ପେଟ୍‌ଛେଲା, ବଉଳକଣି, ବାରଡାଙ୍ଗ, ମହାକାଳପଡ଼ା, ମଙ୍ଗଳପୁର, ବରକନ୍ଧା, ତେରଗାଁ, ଯଦୁପୁର, ଗଡ଼ରୋମିତ, ପାଟଳିପଙ୍କ, ଅମେଇପାଳ, ତିଖିରି, ଟିକରପଙ୍କା ଆଦି ପଞ୍ଚାୟତର ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ପ୍ରହଲ୍ଲାଦ ରାଉତ, ଭୀମସେନ ଚୌଧୁରୀ, ମଙ୍ଗୁଳି ଦାସ, ରମେଶ ଚନ୍ଦ୍ର ଦାସ, ମହାଦେବ ଗିରି, ଶୁକଦେବ ବେହେରା ପ୍ରମୁଖ କହିଛନ୍ତି। ଗ୍ରୀଷ୍ମପ୍ରବାହ ସାଙ୍ଗକୁ ଅଞ୍ଚଳରେ ପାନୀୟ ଜଳସଙ୍କଟ ଦେଖାଯାଇଛି। କୂପ, ନଳକୂପର ଜଳସ୍ତର ନିମ୍ନଗାମୀ ଯୋଗୁ ଜଳସଙ୍କଟ ଦ୍ୱିଗୁଣ କରିଛି। ପାଣି ପାଇଁ ମଣିଷଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ ସମସ୍ତେ ଡହଳବିକଳ ହେଉଛନ୍ତି। ବିଭିନ୍ନ ଛକ ବଜାରରେ ଜଳଛତ୍ର ଖୋଲିବା ପାଇଁ ସଚେତନ ନାଗରିକମାନେ ଦାବି କରିଛନ୍ତି।

Dharitri – Odisha’s No.1 Odia Daily

Share