Categories: ଜାତୀୟ

ମହିଳାଙ୍କୁ ନିର୍ଯାତନା ଅଭିଯୋଗରେ ପ୍ରାଯୋଜକଙ୍କ ବିରୋଧରେ ମାମଲା ରୁଜୁ

ଗାଜିଆବାଦ,୨୩।୭: ବଲିଉଡ୍‌ ଫିଲ୍ମ ପ୍ରଯୋଜକ ତଥା ଅର୍ଥଦାତା ସତ୍ୟେନ୍ଦ୍ର ତ୍ୟାଗିଙ୍କ ବିରୋଧରେ ଜଣେ ମହିଳାଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶ ଗାଜିଆବାଦ ସ୍ଥିତ ନନ୍ଦଗ୍ରାମ ଥାନାରେ ଏନେଇ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ପ୍ରଯୋଜକ ସତ୍ୟେନ୍ଦ୍ର ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସତ୍ୟେନ୍ଦ୍ର ହେଉଛନ୍ତି ସେହି ବ୍ୟକ୍ତି ଯିଏ ପୂର୍ବରୁ ବିଲିଉଡ୍‌ର କୋରିଓଗ୍ରାଫ୍‌ର ରୋମୋ ଡିସୁଜାଙ୍କ ବିରୋଧରେ ମଧ୍ୟ ଠକେଇ ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ, ଗାଜିଆବାଦ ମୋରଟା ଅଞ୍ଚଳରେ ରହୁଥିବା ସତ୍ୟେନ୍ଦ୍ରଙ୍କ ଉପରେ ନନ୍ଦଗ୍ରାମ ଅଞ୍ଚଳର ଏକ ବିବାଦୀୟ ଜମିରେ ନିର୍ମିତ ହୋଇଥିବା କାନ୍ଥକୁ ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ଏହାକୁ ବିରୋଧ କରିବାରୁ ସେଠାରେ ଉପସ୍ଥିତ ଥିବା ମହିଳା ଓ ଶିଶୁଙ୍କୁ ସେ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିଲେ। ଯାହାକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଏହି ଜମିକୁ ନେଇ ପୂର୍ବରୁ ସତ୍ୟେନ୍ଦ୍ର ଓ ଦ୍ୱିତୀୟ ପକ୍ଷଙ୍କ ବିରୋଧରେ ବିବାଦ ଦେଖାଦେଇଥିଲା। ଯାହା ଏବେ କୋର୍ଟରେ ବିଚାରାଧୀନ ରହିଛି।

Share