ବଲିଉଡ୍‌ ସିଙ୍ଗର୍‌ଙ୍କ ନାଁରେ ବଳାତ୍କାର ଅଭିଯୋଗ

ବଲିଉଡ୍‌ର ସିଙ୍ଗର ତଥା ସଙ୍ଗୀତକାର ରାହୁଲ ଜୈନଙ୍କ ନାଁରେ ବଳାତ୍କାର ଅଭିଯୋଗ ହୋଇଛି। ଜଣେ ୩୦ ବର୍ଷୀୟା ମହିଳା ‘କଷ୍ଟ୍ୟୁମ ଷ୍ଟାଇଲିଷ୍ଟ’ ଏହି ଅଭିଯୋଗ ଆଣି ରାହୁଲ ତାଙ୍କୁ ନିଜ ଘରକୁ ଡାକି ବଳାତ୍କାର କରିଥିବା ସେ କହିଛନ୍ତି। ଏହି ଘଟଣାରେ ରାହୁଲଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ରାହୁଲ ଅଭିଯୋଗକୁ ଅସ୍ବୀକାର କରି ଏହାକୁ ମିଥ୍ୟା ଏବଂ ଭିତ୍ତିହୀନ ବୋଲି କହିଛନ୍ତି।
ଅଭିଯୋଗ ଅନୁଯାୟୀ, ଉଭୟ ପ୍ରଥମେ ଇନ୍‌ଷ୍ଟାଗ୍ରାମ ଜରିଆରେ ପରିଚିତ ହୋଇଥିଲେ। ପରେ ଗତ ଅଗଷ୍ଟ ୧୧ରେ ରାହୁଲଙ୍କ ଅନ୍ଧେରୀ ସ୍ଥିତ ଫ୍ଲାଟ୍‌କୁ ଯାଇଥିଲେ ମହିଳା। କିଛି ଜିନିଷପତ୍ର ଦେଖାଇଦେବା ବାହାନାରେ ରାହୁଲ ତାଙ୍କୁ ନିଜ ବେଡ୍‌ ରୁମ୍‌କୁ ଡାକି ବଳାତ୍କାର କରିଥିଲେ। ମହିଳା ଜଣକ ଏହାକୁ ବିରୋଧ କରିବାରୁ ରାହୁଲ ତାଙ୍କୁ ମାଡ ମାରିବା ସହ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିଥିଲେ।
ଏନେଇ ରାହୁଲ କହିଛନ୍ତି, ମୁଁ ଏହି ମହିଳାଙ୍କୁ ଜାଣେ ନାହିଁ। ତାଙ୍କ ଦ୍ୱାରା କରାଯାଇଥିବା ଅଭିଯୋଗ ମିଥ୍ୟା ଏବଂ ଭିତ୍ତିହୀନ। ଏହାପୂର୍ବରୁ ଜଣେ ମହିଳା ମଧ୍ୟ ମୋ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ, କିନ୍ତୁ ମୁଁ ନ୍ୟାୟ ପାଇଲି। ଏହି ମହିଳା ତାଙ୍କର ସହଯୋଗୀ ହୋଇପାରନ୍ତି।
ଗତ ବର୍ଷ ଅକ୍ଟୋବରରେ ରାହୁଲ ଜୈନଙ୍କ ବିରୋଧରେ ବଳାତ୍କାର, ଗର୍ଭପାତ ଏବଂ ପ୍ରତାରଣା ଭଳି ବିଭିନ୍ନ ଅଭିଯୋଗ ଆଣିଥିଲେ ଜଣେ ମହିଳା।

Share