ମାସ୍କ ନ ପିନ୍ଧି ଦେଲେ ୭୬ ହଜାର ଟଙ୍କା ଜରିମାନା

ବ୍ରହ୍ମପୁର ଅଫିସ,୧୬।୭: ଗଞ୍ଜାମ ଜିଲାରେ କରୋନା ସଂକ୍ରମିତ ସଂଖ୍ୟା ସହିତ ମୃତ୍ୟୁ ହାର ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ସରକାର ଲକ୍‌ଡାଉନ ଓ ଶଟ୍‌ଡାଉନ୍‌ କଟକଣାକୁ ଜୋରଦାର କରିଛନ୍ତି । ଜିଲାରେ ଜାରି ହୋଇଥିବା ଏହି କଟକଣା ସମୟରେ ବ୍ରହ୍ମପୁର ପୋଲିସ ଅଯଥାରେ ଘୁରି ବୁଲୁଥିବା ଅମାନିଆଙ୍କୁ ଅଟକାଇ ଯାଞ୍ଚ କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରୁଛି । ଏପରିକି ଜନସାଧାରଣଙ୍କୁ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଭଳି କଡା ନିର୍ଦ୍ଦେଶ ସତ୍ତ୍ୱେ ଲୋକମାନେ ନିୟମ ଉଲ୍ଲଂଘନ କରି ସହରରେ ଘୁରିବୁଲୁଛନ୍ତି ।
ବୁଧବାର ସକାଳ ୬ ଟାରୁ ଗୁରୁବାର ସକାଳ ୬ଟା ସୁଦ୍ଧା ବ୍ରହ୍ମପୁର ପୋଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ଯାଞ୍ଚ କରାଯାଇ ମାସ୍କ ପିନ୍ଧି ନ ଥିବା ୩୧୦ ଜଣ ଲୋକଙ୍କଠାରୁ ୭୬ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିପରି ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ୧୨୪ ଜଣ ଅମାନିଆ ଗାଡି ଚାଳକଙ୍କୁ ୬୨ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି । ସେହିପରି ବେଆଇନ ଭାବେ ବୁଲୁଥିବା ବେଳେ ପୋଲିସ ହାତରେ ୨ ଜଣ ଧରାପଡିଛନ୍ତି । ତାଙ୍କ ବିରୋଧରେ ୨ ଗୋଟି ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି। ଏନେଇ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର ଟୁଇଟ କରି ସୂଚନା ଦେଇଛନ୍ତି ।