ସଂରକ୍ଷିତ ଜଙ୍ଗଲରେ ମଦ୍ୟପାନ କଲେ ଜରିମାନା

ପାଟଣା,୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ନିହ୍ନୁଆଁ ସଂରକ୍ଷିତ ଜଙ୍ଗଲରେ ଅଗ୍ନିକାଣ୍ଡ ରୋକିବାକୁ ଗ୍ରାମବାସୀ ଏକ ଚେତାବନୀ ପୋଷ୍ଟର ଲାଗାଇଛନ୍ତି। ଯାହାକୁ ନେଇ ଅଞ୍ଚଳରେ ଏବେ ଚର୍ଚ୍ଚା ଜୋର ଧରିଛି। ପାଟଣା ବ୍ଲକ୍‌ ତୁରୁମୁଙ୍ଗା ପଞ୍ଚାୟତ ଅଧୀନରେ ଥିବା ନିହ୍ନୁଆଁ ଗାଁ ନିକଟରେ ଥିବା ସଂରକ୍ଷିତ ଜଙ୍ଗଲରେ ମଦ୍ୟ ପାନ ନିଷେଧ, ଧରା ପଡ଼ିଲେ ୨ ହଜାର ଜରିମାନା ବୋଲି ଲେଖାଥିବା ପୋଷ୍ଟର ମରାଯାଇଛି। ଗ୍ରାମର ସୌନ୍ଦର୍ଯ୍ୟ ବଢ଼ାଉଥିବା ଶାଳ ଜଙ୍ଗଲରେ କିଛି ଦିନ ତଳେ ଏହି ଜଙ୍ଗଲରେ ନିଆଁ ଲାଗିଥିଲା। ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ନିଆଁ ଆୟତ୍ତ ହୋଇଥିଲା। କିଛି ବ୍ୟକ୍ତି ଜଙ୍ଗଲରେ ବସି ମଦ୍ୟପାନ କରିବା ସହ ଧୂମ୍ରପାନ କରନ୍ତି। ଫଳରେ ନିଆଁ ଲାଗି ସାରା ଜଙ୍ଗଲକୁ ବ୍ୟାପୁଛି। ଏଥି ସହ ଜଙ୍ଗଲ ସାରା ପ୍ଲାଷ୍ଟିକ ପାଣି ବୋତଲ ସହ ମଦ ବୋତଲକୁ ପକାଇ ଜଙ୍ଗଲ ପରିବେଶକୁ ଦୂଷିତ କରୁଛନ୍ତି। ନିଆଁ ଲାଗିବା କାରଣ ଖୋଜିବା ପରେ ଗ୍ରାମବାସୀ ଏପରି ପୋଷ୍ଟର ଜଙ୍ଗଲରେ ଲଗାଇଛନ୍ତି। ଫଳରେ ପରିବେଶ ପ୍ରଦୂଷଣ ସହ ଜଙ୍ଗଲ ନିଅଁା ରୋକିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗ୍ରାମବାସୀ କହିଛନ୍ତି।