ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ ଆର୍ଜେଣ୍ଟିନା ଜୋରଦାର ପ୍ରସ୍ତୁତି ଚଳାଇଛି। ୩୯ ବର୍ଷୀୟ ଲିଓନେଲ ମେସି କ୍ୟାରିୟରରେ ପ୍ରଥମ ଥର ପାଇଁ ଇଂଲଣ୍ଡକୁ ଭେଟିବାକୁ ଥିବା ବେଳେ ଆର୍ଜେଣ୍ଟିନା ମ୍ୟାଚ୍ ପୂର୍ବରୁ ମନସ୍ତାତ୍ୱିକ ଫାଇଦାରେ ରହିବାକୁ ଚାହୁଁଛି। ଏଥିଲାଗି ଟିମ ମ୍ୟାନେଜମେଣ୍ଟ ପକ୍ଷରୁ ସ୍କାଏ-ବ୍ଲ୍ୟୁ ଜର୍ସି ବଦଳରେ ଡାର୍କ ବ୍ଲ୍ୟୁ ଜର୍ସି ପରିଧାନ କରିବାକୁ ଫିଫା ପକ୍ଷରୁ ଅନୁମତି ମଗାଯାଇଛି। ଏହା ପଛରେ ଏକ ବଡ଼ ଐତିହାସିକ କାରଣ ରହିଛି।
ଦଳ ୧୯୮୬ ବିଶ୍ୱକପ୍ କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭେଟିଥିଲେ। ଡିଏଗୋ ମାରାଡୋନାଙ୍କ ଲୋକପ୍ରିୟ ‘ହାଣ୍ଡ ଅଫ୍ ଗଡ’ ଓ ‘ଗୋଲ ଅଫ୍ ଦି ସେଞ୍ଚୁରୀ’ ଗୋଲ ବଳରେ ଆର୍ଜେଣ୍ଟିନା ୨-୧ ଗୋଲରେ ମ୍ୟାଚ୍ ଜିତି ନେଇଥିଲା। ମେକ୍ସିକୋରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଆର୍ଜେଣ୍ଟିନା ଦଳ ଡାର୍କ ବ୍ଲୁ ଜର୍ସି ପିନ୍ଧିଥିଲା।
ସେମିଫାଇନାଲରେ ସମାନ ରଙ୍ଗର ଜର୍ସି ପିନ୍ଧିବାକୁ ଅନୁରୋଧ କରିବା ସହ ଆର୍ଜେଣ୍ଟିନା ସେହି ଐତିହାସିକ ମୁକାବିଲାର ସ୍ମୃତିକୁ ଉଜ୍ଜୀବିତ କରିବା ସହ ପ୍ରତିପକ୍ଷଙ୍କ ଉପରେ ମାନସିକ ପ୍ରଭାବ ପକାଇବାକୁ ଚାହୁଁଛି।
୧୯୮୬ ପରେ ଦୁଇ ଦଳ ଦୁଇ ଥର ପରସ୍ପରକୁ ଭେଟିଛନ୍ତି। ୧୯୯୮ରେ ମ୍ୟାଚ୍ ୨-୨ ଗୋଲରେ ବରାବର ରହିବା ପରେ ଆର୍ଜେଣ୍ଟିନା ପେନାଲ୍ଟି ଶୁଟଆଉଟ୍ରେ ୪-୩ରେ ଜିତିନେଇଥିଲା। ୨୦୦୨ରେ ପେନାଲ୍ଟିରୁ ଡେଭିଡ ବେକହାମଙ୍କ ଗୋଲ ବଳରେ ଇଂଲଣ୍ଡ ୧-୦ ଗୋଲରେ ବିଜୟୀ ହୋଇଥିଲା। ୧୯୯୮ ସଂସ୍କରଣରେ ଆର୍ଜେଣ୍ଟିନା ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିଥିବା ବେଳେ ୨୦୦୨ରେ ସ୍କାଏ-ବ୍ଲ୍ୟୁ ଜର୍ସି ବ୍ୟବହାର କରିଥିଲା।
ଚଳିତ ବିଶ୍ୱକପ୍ରେ ଏପର୍ଯ୍ୟନ୍ତ ୬ରୁ ୫ ମ୍ୟାଚ୍ରେ ଆର୍ଜେଣ୍ଟିନା ସ୍କାଏ-ବ୍ଲ୍ୟୁ ଜର୍ସି ବ୍ୟବହାର କରିଥିବା ବେଳେ କେବଳ ଥରେ ଜୋର୍ଡାନ ବିପକ୍ଷ ମ୍ୟାଚ୍ରେ ଡାର୍କ ବ୍ଲ୍ୟୁ ଜର୍ସିରେ ଖେଳିଥିଲା।