କେଉଁ ବ୍ଲଡ୍‌ ଗ୍ରୁପ୍‌ଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ, ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଦେଶରେ ସାର୍ବଜନୀକ ଟିକାଦାନ ଜାରି ରହିଛି। ତେବେ କେତେକ ନିର୍ଦ୍ଦିଷ୍ଟ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଥାଏ। କାଉନସିଲ୍‌ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ହ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ୍ଚ (ସିଏସ୍‌ଆଇଆର୍‌) ପକ୍ଷରୁ ହୋଇଥିବା ଏକ ସର୍ଭେ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଏବି ଏବଂ ବି ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତି ଅନ୍ୟ ଗ୍ରୁପ୍‌ ତୁଳନାରେ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଥାଏ। ଅପରପକ୍ଷରେ ଓ ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତିଙ୍କ କ୍ଷେତ୍ରରେ ଆକ୍ରାନ୍ତ ହେବାର ଆଶଙ୍କା କମ୍‌ ରହିଥାଏ। ଦେଶବ୍ୟାପୀ ହୋଇଥିବା ସିରୋ ପଜିଟିଭିଟି ସର୍ଭେ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସର୍ଭେରେ ୧୦ ହଜାରରୁ ଅଧିକ ନମୁନା ୧୪୦ ଜଣ ଡାକ୍ତରଙ୍କ ଦ୍ୱାରା କରାଯାଇଥିଲା। ଦେଖାଯାଇଥିଲା ଏବି ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତି ସର୍ବାଧିକ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ବି ବ୍ଲଡ୍‌ ଗ୍ରୁପ୍‌ ବ୍ୟକ୍ତି ସଂକ୍ରମଣ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିପରି ଆମିଷ ଖାଉଥିବା ଲୋକଙ୍କୁ କରୋନା ସଂକ୍ରମଣ ହେବାରେ ଆଶଙ୍କା ରହିଥାଏ। ନିରାମଷ ଖାଦ୍ୟ ଖାଉଥିବା ଲୋକଙ୍କୁ ସଂକ୍ରମଣ ଆଶଙ୍କା କମ୍‌ ରହିଥାଏ। ନିରାମିଷ ଖାଦ୍ୟରେ ଅଧିକ ଫାଇବର ରହିଥିବାରୁ ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରିବାକୁ ସକ୍ଷମ ହୋଇଥାଏ। ତେବେ ଏହା ଉପରେ ଅଧିକ ଗବେଷଣା ଏବଂ ଅଧ୍ୟୟନ ହେବାର ଆବଶ୍ୟକତା ରହିଥିତ୍ବା ବରିଷ୍ଠ ଚିକିତ୍ସକ ଡ. ଏସ୍‌.କେ. କାଲରା ମତପୋଷଣ କରିଛନ୍ତି। ସେହିପରି ଆଗ୍ରାର ପ୍ୟାଥୋଲୋଜିଷ୍ଟ୍‌ ଡ. ଅଶୋକ ଶର୍ମା କୌଣସି ରୋଗରେ ଆକ୍ରାନ୍ତ ହେବା ଆନୁବଂଶିକ ସଂରଞ୍ଚନା ଉପରେ ନିର୍ଭର କରିଥାଏ ବୋଲି କହିଛନ୍ତି। ସେହିପରି କରୋନା ସଂକ୍ରମଣ କ୍ଷେତ୍ରରେ ମଧ୍ୟ ସମାନ ସ୍ଥିତି ସୃଷ୍ଟି ହୋଇଥିବା ସେ ମତପୋଷଣ କରିଛନ୍ତି।