ଉତ୍ତର ଦିଗର ସ୍ବାମୀ କୁବେର; ଜାଣନ୍ତୁ କ’ଣ କଲେ ବଢ଼ିବ ଧନ…

ଧନ ଓ ସମୃଦ୍ଧିର ଦେବତା କୁବେର ହେଉଛନ୍ତି ଉତ୍ତର ଦିଗର ସ୍ବାମୀ। ସେଥିପାଇଁ ଘରର ଆଲମିରା ତଥା ଟ୍ରେଜେରିକୁ ଏହି ଦିଗରେ ରଖିବା ଦ୍ୱାରା ଘରେ କେବେ ବି ଧନର ଅଭାବ ଦେଖାଯାଇ ନ ଥାଏ। ସେହିପରି କୁହାଯାଏ, ଉତ୍ତର ଦିଗରେ ଯଦି ନୀଳ ରଙ୍ଗର କୌଣସି ଏକ ଆର୍ଟିଫିସିଆଲ୍‌ ପିରାମିଡ୍‌କୁ ରଖି ଦିଆଯାଏ, ତା’ହେଲେ ଏହା ଧନବୃଦ୍ଧି କରାଇବାରେ ବେଶ୍‌ ସହାୟକ ହୋଇଥାଏ। ପିରାମିଡ୍‌ ନ ମିଳିଲେ ତା’ପରିବର୍ତ୍ତେ ଆପଣ ଚାହିଁଲେ ଏହି ଦିଗର କାନ୍ଥକୁ ନୀଳ ରଙ୍ଗରେ ପେଣ୍ଟିଂ ବି କରିପାରିବେ। ତା’ଛଡ଼ା ଉତ୍ତର ଦିଗରେ କାଚର ବାଉଲ୍‌ରେ କିଛି ରୁପା କଏନ୍‌ ଭର୍ତ୍ତି କରି ରଖିଲେ ଘର ଉପରେ ମା’ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ରହିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ସେହିପରି ଆପଣ ଚାହିଁଲେ ଘରର ଉତ୍ତର-ପୂର୍ବ ଦିଗରେ ଭଗବାନ ଗଣେଶ ଓ ମା’ ଲକ୍ଷ୍ମୀଙ୍କର ମୂର୍ତ୍ତି ରଖି ସେଠାରେ ଦିନରେ ଥରେ ହେଉନା କାହିଁକି ଦୀପଟିଏ ଜଳାଇଲେ ଘରେ କେବେ ବି ଟଙ୍କା ପଇସାର ଅଭାବ ଦେଖାଯାଇ ନ ଥାଏ ବୋଲି ବିଶ୍ୱାସ କରାଯାଇଥାଏ। ଅନ୍ୟପକ୍ଷେ ଘରର ଉତ୍ତର ଦିଗରେ ଅଁଳା କିମ୍ବା ତୁଳସୀ ଗଛ ଲଗାଇବା ଦ୍ୱାରା ବି ପରିବାରର ମଙ୍ଗଳ ହେବା ସହ ଘରେ ଐଶ୍ୱର୍ଯ୍ୟ ବୃଦ୍ଧି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।