ବସୁନ୍ଧରା ଯୋଜନାରେ ଜାଗା ମିଳୁ

ତାଳଚେର,୨୨।୧୨(ନି.ପ୍ର.) ସରକାରଙ୍କ ବସୁନ୍ଧରା ଯୋଜନାରେ ତାଳଚେର ବ୍ଲକ ଘଣ୍ଟପଡ଼ା ପଞ୍ଚାୟତର ଭୂମିହୀନ ପଛୁଆ ବର୍ଗ ପରିବାରଙ୍କୁ ଜାଗା ଯୋଗାଇ ଦେବାକୁ ତାଳଚେର ଜନ ବିକାଶ କଲ୍ୟାଣ ସଂଘ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଏକ ଦାବିପତ୍ର ଉପଜିଲାପାଳଙ୍କୁ ପ୍ରଦାନ କରାଯାଇଛି। ସେଥିରେ ଦର୍ଶାଯାଇଛି, ୪୦ ବର୍ଷ ତଳେ ପଞ୍ଚାୟତ ଦେଇ ତାଳଚେର ସାର କାରଖାନାର ପାଇପ୍‌ଲାଇନ ଯାଇଥିଲା। ତାହା ଉପରେ ପଞ୍ଚାୟତର ଅନେକ ଭୂମିହୀନ ଦିନ ମଜୁରିଆ ଘର ନିର୍ମାଣ କରି ରହିଛନ୍ତି। ସରକାରଙ୍କ ବିଭିନ୍ନ ଯୋଜନାରେ ଉପକୃତ ହେଉଛନ୍ତି। କିନ୍ତୁ ଏଫ୍‌ସିଆଇ ପାଇପ୍‌ ଲାଇନର ପୁନରୁଦ୍ଧାର କାର୍ଯ୍ୟ ପାଇଁ ସମ୍ପୃକ୍ତ ଗରିବ ପରିବାରଗୁଡ଼ିକୁ ବାସଚ୍ୟୁତ୍‌ କରାଯିବାକୁ ଚିଠି ହୋଇଛି। ଏମାନେ ସରକାରଙ୍କ ବସୁନ୍ଧରା ଯୋଜନାରୁ ବଞ୍ଚିତ ହୋଇଥିବା ସମିତି ସଭ୍ୟ ସରୋଜିନୀ ବେହେରା ଗତ ନଭେମ୍ବର ୧୫ରେ ପ୍ରଶାସନକୁ ଲିଖିତ ଭାବେ ଜଣାଇଥିବାରୁ ତୁରନ୍ତ ଉକ୍ତ ଯୋଜନାରେ ଜାଗା ଓ ଏଫ୍‌ସିଆଇଏଲ୍‌ର ନୂତନ ଏମ୍‌ଓୟୁ ଅନୁଯାୟୀ ବିସ୍ଥାପିତଙ୍କୁ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି। ଗରିବ ପରିବାରକୁ ନ୍ୟାୟ ନ ମିଳିଲେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ସଂଘ ସଭାପତି ଭୁପେନ ଥମ୍ବ ଚେତାବନୀ ଦେଇଛନ୍ତି।