ନକଲି ଗୁଟ୍‌ଖା କାରଖାନା ଠାବ

କଟକ ଅଫିସ, ୧୭।୧୨ :କଟକରେ ପୁଣି ଏକ ନକଲି କାରଖାନା ଠାବ ହୋଇଛି। ବୁଧବାର ପୋଲିସ ଜଗତପୁର ତଳବଣିଆସ୍ଥିତ ନକଲି ଗୁଟ୍‌ଖା କାରଖାନା ଉପରେ ଚଢ଼ାଉ କରି ବିଭିନ୍ନ ନାମୀଦାମୀ ବ୍ରାଣ୍ଡର ନକଲି ସାମଗ୍ରୀ ଜବତ କରିଛି। ଯାହାର ମୂଲ୍ୟ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ। ଏ ନେଇ ଜଗତପୁର ଥାନାରେ କେସ୍‌ ନଂ. ୫୨୭/୨୦୨୦ ରୁଜୁ ହୋଇଛି। ଏହି ଘଟଣାରେ କମ୍ପାନୀ ମାଲିକ ଏସ୍‌. ଏ. ଜମିର ଏବଂ ପାର୍ଥ ମାନ୍ନା ନାମକ କର୍ମଚାରୀଙ୍କୁ ଗିରଫ କରାଯାଇଛି। ଏଥିରେ ସମ୍ପୃକ୍ତ ଅନ୍ୟମାନଙ୍କୁ ପୋଲିସ ଖୋଜିବା ସହ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ, କଟକ କମିଶନରେଟ୍‌ ପୋଲିସ ଓ ଜଗତପୁର ପୋଲିସ ମିଳିତ ଭାବେ ଉକ୍ତ କମ୍ପାନୀରେ ଚଢ଼ାଉ କରିଥିଲା। ସେଠାରୁ ବିପୁଳ ପରିମାଣର ପ୍ୟାକିଙ୍ଗ୍‌ ସାମଗ୍ରୀ ଓ କଞ୍ଚାମାଲ ଜବତ କରାଯାଇଛି। ସିଗ୍‌ମା, ଗୋକୁଲ, କ୍ରିଷ୍ଣା, ମୋଦି, ରକେଟ ଆଦି ବ୍ରାଣ୍ଡର ନକଲି ଗୁଟ୍‌ଖା ଓ ଖଇନି ତିଆରି କରାଯାଉଥିଲା। ଖୋର୍ଦ୍ଧାରୁ ଜମିର ଓ କୋଲକାତାରୁ ପାର୍ଥ ଆସି ମିଳିମିଶି ୪ମାସ ହେଲା ଏହି କାରବାର ଚଳାଇଥିଲେ। ବିନା ଲାଇସେନ୍ସରେ ଉକ୍ତ କମ୍ପାନୀ ଚାଲିଥିବାବେଳେ ପ୍ୟାକେଟ ଉପରେ ମ୍ୟାନୁଫାକ୍‌ଚରିଂ ଓ ଏକ୍ସପାଏରି ତାରିଖ, ବ୍ୟାଚ୍‌ ନମ୍ବର ଉଲ୍ଲେଖ ରହୁ ନ ଥିଲା। କଟକ ଜିଲାରେ ଏଭଳି ନକଲି ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀଗୁଡ଼ିକ ବିରୋଧରେ ଚଢାଉ ଜାରି ରହିବ ବୋଲି ପୋଲିସ କହିଛି। ଉଲ୍ଲେଖଥାଉ କି, ସେପ୍ଟେମ୍ବର ୧୩ରେ ରାଣୀହାଟ ଅଞ୍ଚଳରେ ଏକ ନକଲି ପୂଜା ସାମଗ୍ରୀ କମ୍ପାନୀ, ୧୪ରେ ଚୌଦ୍ୱାର ଓ୍ବାର୍ଡ ନଂ. ୯ରେ ନକଲି ଘିଅ ଓ ସସ୍‌ କାରଖାନା, ୨୬ ତାରିଖରେ ଜଗତପୁର ଆଇ.ବି. ରୋଡ୍‌ଠାରେ ନକଲି ସସ୍‌ କାରଖାନା ଠାବ ହୋଇଥିଲା। ସେହିପରି ନଭେମ୍ବର ୧୪ରେ କଟକ ଅଞ୍ଚଳରେ ଏକ ନକଲି ମସଲା ଓ ୨୬ରେ ନକଲି ଘିଅ କାରଖାନା ଉପରେ ଚଢ଼ାଉ କରାଯାଇଥିଲା। ବାରମ୍ବାର କଟକ ସହର ଓ ଆଖପାଖ ଅଞ୍ଚଳରେ ବିଭିନ୍ନ ନକଲି ଖାଦ୍ୟ ସାମଗ୍ରୀ, ପାନମସଲା ତଥା ଗୁଟ୍‌ଖା କମ୍ପାନୀକୁ ପୋଲିସ ଠାବ କରୁଛି। ତଥାପି ଦିନକୁ ଦିନ ଏହି ତାଲିକା ଲମ୍ବା ହେବାରେ ଲାଗିଛି।