ନକଲି ସିମେଣ୍ଟ କାରଖାନା ଠାବ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ରାଜଧାନୀ ଉପକଣ୍ଠ ପାତ୍ରପଡ଼ାରେ ପୋଲିସ ଆଖିରେ ଧୂଳି ଦେଇ ଦୀର୍ଘ ବର୍ଷ ଧରି ଚାଲୁଥିଲା ନକଲି ସିମେଣ୍ଟ କାରଖାନା। ଏହି କାରଖାନାରେ ନକଲି ସିମେଣ୍ଟ ପ୍ରସ୍ତୁତ କରାଯାଇ ବିଭିନ୍ନ ଦାମୀ କମ୍ପାନୀର ଲୋଗୋ ଲଗାଇ ପ୍ୟାକିଂ କରାଯାଉଥିଲା। ପରେ ଏହାକୁ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। ଘଟଣା ସମ୍ପର୍କରେ ଏକ ଘରୋଇ ଡିଟେକ୍ଟିଭ୍‌ ସଂସ୍ଥା ଠାରୁ ସୂଚନା ପାଇ କମିଶନରେଟ୍‌ ପୋଲିସର ତମାଣ୍ଡୋ ଥାନା ପୋଲିସ ସୋମବାର ଏହି କାରଖାନାରେ ଚଢାଉ କରିଥିଲା। ଏହି ସମୟରେ କାରଖାନାରୁ ବିପୁଳ ପରିମାଣର ସିମେଣ୍ଟ ଜବତ କରାଯିବା ସହ ବିଭିନ୍ନ ଦାମୀ କମ୍ପାନୀର ଅବିକଳ ବସ୍ତା ଜବତ କରାଯାଇଥିଲା। ଜବତ ସିମେଣ୍ଟର ଆନୁମାନିକ ମୂଲ୍ୟ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ଏନେଇ ପୋଲିସ ଉକ୍ତ କାରଖାନାର ମାଲିକ ନୂଆପଲ୍ଲୀ ଥାନା ଆଇଆର୍‌ସି ଭିଲେଜରେ ରହୁଥିବା ବିଜୟ କୁମାର ଶିବାନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ଜବତ ସିମେଣ୍ଟର ନମୁନା ସଂଗ୍ରହ କରାଯାଇ ଯାଞ୍ଚ ନିମନ୍ତେ ଲାବ୍‌କୁ ପଠାଯାଇଥିବା ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକ କହିଛନ୍ତି। ବିଜୟ କୁମାରଙ୍କ ନାମରେ ଜଗଦମ୍ବା ସିମେଣ୍ଟ ପ୍ରସ୍ତୁତି ନେଇ ଟ୍ରେଡ୍‌ ଲାଇସେନ୍ସ ରହିଥିବାବେଳେ ସେ ବେଆଇନ ଭାବେ ଅନ୍ୟ କମ୍ପାନୀ ଲୋଗା ଲଗାଇ ବ୍ୟବସାୟ କରୁଥିଲେ।
ସୂଚନା ଅନୁଯାୟୀ, ତମାଣ୍ଡୋ ଥାନା ପାତ୍ରପଡ଼ା ଭଗବାନପୁରରେ ପ୍ରାୟ ୨୦୦୧ରୁ ବିଜୟ ଏହି କାରଖାନା ଚଳାଇ ଆସୁଥିଲେ। ତେବେ ଜଗଦମ୍ବା ସିମେଣ୍ଟ ପ୍ରସ୍ତୁତି କରିବାକୁ ଅନୁମତି ଥିବାବେଳେ ସେ ନକଲି ସିମେଣ୍ଟ ପ୍ରସ୍ତୁତ କରି ଅନ୍ୟ କମ୍ପାନୀ ନାମରେ ବିକ୍ରି କରୁଥିଲେ। ଏନେଇ ଅଲଟ୍ରାଟେକ୍‌ ସିମେଣ୍ଟ କମ୍ପାନୀ ସହ ଅନୁବନ୍ଧିତ ଥିବା ମୁମ୍ବାଇସ୍ଥିତ ଟର୍କ ଡିଟେକଟିଭ୍‌ ସଂସ୍ଥା ସୂଚନା ପାଇଥିଲା। ସଂସ୍ଥା ପକ୍ଷରୁ ଏନେଇ ଅଧିକ ତଦନ୍ତ କରାଯିବା ସହ ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରାଯାଇଥିଲା। ପରେ ଏନେଇ ସଂସ୍ଥା ପକ୍ଷରୁ ତମାଣ୍ଡୋ ଥାନାରେ ଅଭିଯୋଗ କରାଯାଇଥିଲା। ଏହାପରେ ତମାଣ୍ଡୋ ଥାନା ଅଧିକାରୀ ପ୍ରମୋଦ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ଚଢ଼ାଉ କରିବା ସହ ଉକ୍ତ ସିମେଣ୍ଟ କମ୍ପାନୀକୁ ସିଲ୍‌ କରିଥିଲା।