୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ବଜେଟ: ଆୟବ୍ୟୟ ନେଇ ବିସ୍ତୃତ ତଥ୍ୟ ଦେଲେ ଅର୍ଥମନ୍ତ୍ରୀ

ଭୁବନେଶ୍ୱର,୨୪।୨(ବ୍ୟୁରୋ): ୨୦୨୩-୨୪ ଆର୍ଥିକ ବର୍ଷ ଲାଗି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଶୁକ୍ରବାର ରେକର୍ଡ ପରିମାଣର ୨ ଲକ୍ଷ ୩୦ ହଜାର କୋଟି ଟଙ୍କାର ରାଜ୍ୟ ବଜେଟ ଉପସ୍ଥାପନ କରିଛନ୍ତି। ଏଥର ବଜେଟ୍‌ରେ ଅନେକ ନୂଆ ଯୋଜନା ଘୋଷଣା କରାଯିବା ସହ ସ୍ବାସ୍ଥ୍ୟ, ଶିକ୍ଷା, କୃଷି, ଯୁବବର୍ଗ, ମହିଳା, ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ଆଦି କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି। ଚଳିତ ବର୍ଷଠାରୁ ଆସନ୍ତା ଆର୍ଥିକ ବର୍ଷର ବ୍ୟୟବରାଦ ୧୫% ଅଧିକ ରହିଛି।

ବଜେଟରେ ଆୟ ବ୍ୟୟ ଉପସ୍ଥାପନ କରି ଅର୍ଥମନ୍ତ୍ରୀ କହିଛନ୍ତି, ଆୟ ବାବଦରେ ରାଜ୍ୟ ଟିକସ ୫୩ ହଜାର କୋଟି, ଅଣ ଟିକସ ୫୨୫୦୦ କୋଟି, ଅଂଶଧନ ଟିକସ ୪୬୨୫୧ କୋଟି, କେନ୍ଦ୍ର ଅନୁଦାନ ୩୨୭୪୮ କୋଟି, ବିଭିନ୍ନ କ୍ଷେତ୍ରରୁ ଋଣ ଆଦାୟ ୮୭୦ କୋଟି ଟଙ୍କା, ବିଭିନ୍ନ କ୍ଷେତ୍ରରୁ ଋଣ ୩୩ ହଜାର ୬୩୦ କୋଟି, ଭବିଷ୍ୟନିଧି ଓ ଅନ୍ୟ ପାଣ୍ଠିରୁ ୧୧ ହଜାର କୋଟି ମିଳିବ।

ସେହିଭଳି ଦରମା, ପେନସନ ଓ ଅନ୍ୟାନ୍ୟ ରାଜସ୍ବ ଲାଗି ବ୍ୟୟ- ୧, ୩୯, ୫୨୦ କୋଟି, ପୁଞ୍ଜି ବ୍ୟୟ- ୫୧, ୬୮୨ କୋଟି, ଋଣ ପାଇଁ ସୁଧ ୭୨୪୦ କୋଟି, ଋଣ ରିପେମେଣ୍ଟ ୧୮୭୮୬ କୋଟି, ପ୍ରଶାସନିକ ଋଣ ବଣ୍ଟନ ୧୭୭୦ କୋଟି ବ୍ୟୟ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।