Categories: ଜାତୀୟ

ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ! ନିର୍ମଳା ଦେଲେ ନିର୍ବାଚନ ନ ଲଢିବାର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ଏକଥା ଆମେ ନୁହେଁ ଖୋଦ୍‌ ଅର୍ଥମନ୍ତ୍ରୀ ଜାତୀୟ ଗଣମାଧ୍ୟମରେ କରିଛନ୍ତି ଖୁଲାସା । ଅର୍ଥମନ୍ତ୍ରୀଙ୍କ ପାଖରେ ନାହିଁ ଅର୍ଥ। ତେଣୁ ସେ ନିର୍ବାଚନ ଳଢ଼ିବାକୁ ଚାହୁନାହାନ୍ତି ।

ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ, ନିର୍ମଳା କିଛି ଏପରି ଖୁଲାସା କରିଛନ୍ତି ଯାହାକୁ ନେଇ ବିଭିନ୍ନ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ସେ ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଭାରତର ଅର୍ଥମନ୍ତ୍ରୀ । କିନ୍ତୁ ନିର୍ବାଚନ ଲଢିବା ଲାଗି ଯେତିକି ଟଙ୍କା ଦରକାର ତାହା ତାଙ୍କ ପାଖରେ ନାହିଁ। ଏକଥା ଖୋଦ ଅର୍ଥମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ନିର୍ବାଚନ ଲଢିବାକୁ ତାଙ୍କୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହାକୁ ସେ ପ୍ରତ୍ୟାଖ୍ୟାନ କରିଛନ୍ତି । କାରଣ ଲୋକ ସଭା ନିର୍ବାଚନ ଲଢିବା ଲାଗି ଯେତିକି ପାଣ୍ଠି ଦରକାର ତାହା ତାଙ୍କ ପାଖରେ ନାହିଁ।

ତାଙ୍କୁ ଆନ୍ଧ୍ରପ୍ରଦେଶ କିମ୍ବା ତାମିଲନାଡୁରୁ ଲଢିବା ଲାଗି ଭାଜପା ସଭାପତି ଜେ.ପି ନଡ୍ଡା ପ୍ରସ୍ତାବ ଦେଇଥିଲେ। ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ସେ ଏ ବିଷୟରେ ଭାବିବା ପରେ ସେ ପଛକୁ ହଟିଯାଇଥିଲେ ବୋଲି ନିର୍ମଳା କହିଛନ୍ତି। ଦେଶର ଅର୍ଥମନ୍ତ୍ରୀଙ୍କ ପାଖରେ ନିର୍ବାଚନ ଲଢିବାକୁ ଟଙ୍କା ନାହିଁ କି ବୋଲି ପ୍ରଶ୍ନ ହେବାରୁ ନିର୍ମଳା କହିଛନ୍ତି, ଭାରତ ସରକାରଙ୍କ ପାଣ୍ଠି ତାଙ୍କର ନୁହେଁ । ତାଙ୍କର ବେତନ ହିଁ ତାଙ୍କର ଆୟ ଏବଂ ତାଙ୍କର ସଞ୍ଚୟ ହେଉଛି ତାଙ୍କର ଟଙ୍କା । କର୍ନାଟକ ରାଜ୍ୟ ସଭା ଏମପି ନିର୍ମଳା ଆହୁରି କହିଛନ୍ତି, ନିର୍ବାଚନ ନ ଲଢିଲେ ମଧ୍ୟ ନିର୍ବାଚନ ପ୍ରଚାର ଓ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ।

Share