ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ସମଗ୍ର ସଂଶୋଧନ ପ୍ରକ୍ରିୟାକୁ ସଫଳତାର ସହ ସମ୍ପନ୍ନ କରିବାରେ ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡର ବୁଥ୍ ସ୍ତରୀୟ ଅଧିକାରୀ, ବୁଥ୍ ସ୍ତରୀୟ ଏଜେଣ୍ଟ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଓ ନିର୍ବାଚନ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ। ଏଥିସହ ଭୋଟରମାନେ ମଧ୍ୟ ସହଯୋଗ କରିଛନ୍ତି।
ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୬,୪୧,୨୨୮ ଜଣ ଭୋଟର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି। ନିର୍ବାଚନମଣ୍ଡଳୀ ଅନୁଯାୟୀ, ଭଞ୍ଜନଗରରେ ୨,୨୫,୫୧୦ ଜଣ, ଆସିକାରେ ୧,୮୯,୩୦୧ ଜଣ, ସୋରଡ଼ାରେ ୨,୨୬,୪୧୭ ଜଣ ଭୋଟର ଅଛନ୍ତି। ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନର ଚିଠା ଭୋଟର ତାଲିକା ପ୍ରକାଶ ପୂର୍ବରୁ ଭଞ୍ଜନଗର ଉପଖଣ୍ଡ ୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୬,୭୨,୯୮୪ ଜଣ ଭୋଟର ଥିଲେ। ବର୍ତ୍ତମାନ ୩୬୩୪୨ ଜଣଙ୍କ ନାମ ବାଦ ପଡ଼ିଛନ୍ତି । ନୂଆଚିଠା ଭୋଟର ତାଲିକାରେ ୬,୩୬,୬୪୨ ଜଣ ଭୋଟର ବର୍ତ୍ତମାନ ରହିଥିବା ବେଲେ ଚୂଡ଼ାନ୍ତ ତାଲିକାରେ ମୋଟ ୪,୫୮୬ ଜଣଙ୍କ ନୂଆ ନାମ ବୃଦ୍ଧି ହୋଇ ୬,୪୧,୨୨୮ ଜଣ ଭୋଟର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥିବା ଜଣାପଡିଛି।
ଚୂଡ଼ାନ୍ତ ତାଲିକା ପ୍ରକାଶ ପୂର୍ବରୁ ଭଞ୍ଜନଗରରେ ୨,୩୭,୮୯୩ ଜଣ, ଆସିକାରେ ୨,୦୦,୫୬୧ ଜଣ, ସୋରଡ଼ାରେ ୨,୩୪,୫୩୦ ଜଣ ଭୋଟର ଥିଲେ। ଆଜି ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଟିତ ଖବରଦାତା ସମ୍ମିଳନୀରେ ଉପ ଜିଲାପାଳ ଉମାଶଙ୍କର ବେହେରା ତାହା କହିଛନ୍ତି। ଏହି ସମୟରେ ଈ.ଆର.ଓ ସୋରଡ଼ା ବସନ୍ତ କୁମାର ସେଠୀ, ଈ.ଆର.ଓ ଆସ୍କା ତଥା ଅତିରିକ୍ତ ଉପଜିଲାପାଳ ଭଞ୍ଜନଗର ପ୍ରଧାନ ଟୁଲିଆମା , ଡେପୁଟୀ କଲେକ୍ଟର ରଚିତା ମହାପାତ୍ର ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।