ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ଆଜି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଜିଲାର ସମସ୍ତ ମତଦାନ କେନ୍ଦ୍ର ଏବଂ ନିର୍ବାଚନ ପଞ୍ଜୀକରଣ ଅଧିକାରୀଙ୍କ କାର୍ଯ୍ୟାଳୟ ସ୍ତରରେ ଏହି ତାଲିକା ପ୍ରଦର୍ଶିତ କରାଯାଇଛି ।
ଏହି ସମଗ୍ର ସଂଶୋଧନ ପ୍ରକ୍ରିୟାକୁ ସଫଳତାର ସହ ସମ୍ପନ୍ନ କରିବାରେ ବୁଥ୍ସ୍ତରୀୟ ଅଧିକାରୀ, ବୁଥ୍ସ୍ତରୀୟ ଏଜେଣ୍ଟ, ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ଓ ନିର୍ବାଚନ କର୍ମଚାରୀ ଅକ୍ଲାନ୍ତ ପରିଶ୍ରମ କରିଛନ୍ତି । ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ପରେ ଗଞ୍ଜାମ ଜିଲାର ୧୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ମୋଟ ୨୮,୧୦,୯୫୧ ଜଣ ଭୋଟର ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଛନ୍ତି । ଚୂଡ଼ାନ୍ତ ତାଲିକାରେ ମୋଟ ୧,୮୮,୮୩୧ ଜଣଙ୍କ ନାମ ବାଦ ପଡ଼ିଛି ବୋଲି ଜିଲାପାଳ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହି ସଂଶୋଧନ ପ୍ରକ୍ରିୟାରେ ଯୁବ ଭୋଟରଙ୍କ ପଞ୍ଜୀକରଣକୁ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଛି । ଚୂଡ଼ାନ୍ତ ତାଲିକାରେ ୧୮ରୁ ୧୯ ବର୍ଷ ବୟସ ବର୍ଗର ୧୯,୮୪୯ ଜଣ ଯୁବ ଭୋଟର ପଞ୍ଜୀକୃତ ହୋଇଛନ୍ତି।
ସେହିପରି, ମତଦାନ ପ୍ରକ୍ରିୟାକୁ ଅଧିକ ସୁଗମ କରିବା ଉଦ୍ଦେଶ୍ୟରେ ୮୫୧ଟି ଅତିରିକ୍ତ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଛି । ଫଳରେ ପୁନଃବିନ୍ୟାସ ପରେ ଜିଲାର ମୋଟ ମତଦାନ କେନ୍ଦ୍ର ସଂଖ୍ୟା ୩,୯୭୫କୁ ବୃଦ୍ଧି ପାଇଛି।ଏହି ଅବସରରେ ଅତିରିକ୍ତ ଜିଲାପାଳ ଦେବଦତ୍ତ ପଣ୍ଡା, ଜିଲା ପରିଷଦର ମୁଖ୍ୟ ନିର୍ବାହୀ ଅଧିକାରୀ ସମୀର କୁମାର ଜେନା, ଡେପୁଟି କଲେକ୍ଟର (ନିର୍ବାଚନ) ଡଃ ଅରୁଣ କୁମାର ଖଣ୍ଡା ଏବଂ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।