ଜିଆଇ ଟ୍ୟାଗ୍‌ ଅନ୍ତିମ ପର୍ଯ୍ୟାୟରେ ମଗଜି ଲଡୁ

ଢେଙ୍କାନାଳ,୨ା୯(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ମଗଜି ଲଡୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପାଇଁ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଏପରିକି ଜିଓଗ୍ରାଫିକାଲ ଜର୍ନାଲ ମାଗାଜିନର ପୃଷ୍ଟା-୪୫ରେ ମଧ୍ୟ ଏହା ସ୍ଥାନ ପାଇସାରିଛି। ଏହି ଖବର ଜଣାପଡ଼ିବା ପରେ ଢେଙ୍କାନାଳ ଜିଲାରେ ଖୁସିର ଲହରି ଖେଳିଯାଇଛି। ବିଶେଷକରି ଜିଲା ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଧ୍ୟ ଖୁସି ପ୍ରକଟ କରାଯାଇଛି। ଢେଙ୍କାନାଳ ମଗଜି ଲଡୁ କ୍ଷୀରରୁ ପ୍ରସ୍ତୁତ ଖାଦ୍ୟ। ମଇଷି କ୍ଷୀର, ଘିଅରୁ ଏହା ପ୍ରସ୍ତୁତ କରାଯାଇଥାଏ। ୭ ଡିସେମ୍ବର ୨୦୨୦ରେ ଢେଙ୍କାନାଳ ସହର ମୀନାବଜାର ସ୍ଥିତ ଢେଙ୍କାନାଳ ସୁଇଟ୍‌ ଆସୋସିଏଶନ ପକ୍ଷରୁ ମଗଜି ଲଡୁକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ ପାଇଁ ଦରଖାସ୍ତ ନଂ-୭୨୪ ଏହାକୁ ପଞ୍ଜୀକୃତ କରାଯାଇଥିଲା। ଓୟୁଏଟି ସହଯୋଗରେ ଏହାକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରିବା ପାଇଁ ନିୟମ ଅନୁଯାୟୀ ବିଭିନ୍ନ ପାହାଚ ଅତିକ୍ରମ କରିଥିଲା। ଶେଷରେ ଗୁରୁବାର ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଜିଓଗ୍ରାଫିକାଲ ଜର୍ନାଲରେ ସ୍ଥାନ ପାଇବା ପରେ ମାସେରୁ ୩ ମାସ ମଧ୍ୟରେ ଏହାକୁ ନେଇ କୌଣସି ଆପତ୍ତି ବା ବିରୋଧୀ ମନ୍ତବ୍ୟ ନ ଆସିଲେ ଚୂଡାନ୍ତ ଭାବେ ଏହାକୁ ଜିଆଇ ମାନ୍ୟତା ପ୍ରଦାନ ସମ୍ପର୍କରେ ଘୋଷଣା କରାଯିବ ବୋଲି ଓୟୁଏଟିର ଡାଇରେକ୍ଟର ପ୍ଲାନିଂ, ମନିଟରିଂ ଆଣ୍ଡ୍‌ ଇଭାଲୁଏଶନ ବିଭାଗର ପ୍ରଫେସର ଦୟାନିଧି ମିଶ୍ର ଶୁକ୍ରବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ସେହିପରି ଢେଙ୍କାନାଳ ମହିଷାପାଟସ୍ଥିତ ବରିଷ୍ଠ ବୈଜ୍ଞାନିକ ବିମଳେନ୍ଦୁ ମହାନ୍ତି କହିଛନ୍ତି, ପରିଶ୍ରମ ସଫଳତା ପାଇବାକୁ ଆଉ ମାତ୍ରେ ପାଦେ ବାଟ ରହିଲା। କୌଣସି ଭିନ୍ନମତ ନ ଉପୁଜିଲେ ଖୁବଶୀଘ୍ର ଢେଙ୍କାନାଳର ମଗଜି ଲଡୁ ଜିଆଇ ଟ୍ୟାଗ୍‌ ହାସଲ କରିବ। ସେହିପରି ଜିଲା ସୁଇଟି ଆସୋସିଏଶନ ସମ୍ପାଦକ ଜିତେଶ କୁମାର କୋଟକ କହିଛନ୍ତି, ଢେଙ୍କାନାଳ ଜିଲା ପାଇଁ ଏହା ଏକ ଗର୍ବ ଓ ଗୌରବର ବିଷୟ। ଆଉ ଗୋଟିଏ ପାଦ ପରେ ମଗଜି ଲଡୁ ଜିଆଇ ଟ୍ୟାଗ ମାନ୍ୟତା ପାଇବ ବୋଲି ନିଶ୍ଚିତ ହୋଇଯାଇଛି। ସମଗ୍ର ଦେଶ ଓ ରାଜ୍ୟ ପାଇଁ ଢେଙ୍କାନାଳବାସୀଙ୍କ ଏହା ଏକ ଉପହାର ସଦୃଶ। ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇବା ପରେ ଏହା କିପରି ଭାବେ ଭଲ ବିକ୍ରି ଓ ରପତ୍ାନି ହୋଇପାରିବ ସେ ସମ୍ପର୍କରେ ପ୍ରୟାସ ଜାରି ରହିବ।