ଆସିଲେନି କେହି: ଜଗୁଆଳି ବୃଦ୍ଧାଙ୍କ ଅନ୍ତିମ ସତ୍କାର କଲା ଉନ୍ନୟନ ସମିତି

କୋକସରା,୧୬ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ସାହାଜଖୋଲ ଜଙ୍ଗଲ ମଧ୍ୟରେ ଥିବା ପର୍ଯ୍ୟଟନସ୍ଥଳି ଡୋକରିଚଞ୍ଚରାରେ ଦୀର୍ଘ ୧୦ ବର୍ଷ ହେଲା ଏକ ଅସହାୟ ବୃଦ୍ଧ ଦମ୍ପତି ଘେନୁ ମାଝୀ (୭୭) ଏବଂ ତାଙ୍କ ସ୍ତ୍ରୀ ମଙ୍ଗଳ ଦେଈ ମାଝୀ (୭୦) ଜଗୁଆଳି ଭାବେ ରହି ଆସୁଥିଲେ। ହେଲେ ତାଙ୍କ ପୁଅ ଏବଂ ଝିଅ ଅନ୍ୟ ଜାତିରେ ବିବାହ କରିବାରୁ ବୃଦ୍ଧା ମା’ ବାପାଙ୍କ ସହ ଆଉ କୌଣସି ସମ୍ପର୍କ ରଖି ନ ଥିଲେ। ଏପରିକି ବୃଦ୍ଧ ଦମ୍ପତିଙ୍କୁ ସାମାଜିକ ବାସନ୍ଦ କରାଯାଇଥିବା ମଧ୍ୟ ଜଣାପଡ଼ିଛି। ଏଭଳିସ୍ଥିତିରେ ରବିବାର ବୃଦ୍ଧା ମଙ୍ଗଳ ଦେଈଙ୍କ ମୃତ୍ୟୁ ଘଟିଥିଲା। ଏଭଳିସ୍ଥିତିରେ ମୃତଦେହକୁ କାନ୍ଧ ଦେବାକୁ କେହି ସମ୍ପର୍କୀୟ ପାଖକୁ ଆସି ନ ଥିଲେ। ଫଳରେ ବୃଦ୍ଧାଙ୍କ ମୃତଦେହ ପଡ଼ି ରହିଥିଲା।

ଏନେଇ ଗୁଡ଼ହାଣ୍ଡି ଡୋକରିଚଞ୍ଚରା ଉନ୍ନୟନ ସମିତିର ସଦସ୍ୟ ଖବର ପାଇ ବୃଦ୍ଧ ଦମ୍ପତି ରହୁଥିବା ଘରେ ପହଞ୍ଚି ଥିଲେ। ଏପରିକି ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, ଅଇରିନାଶନ ଚିନ୍ଦା, ଆଦିତ୍ୟ ପଣ୍ଡା, ନୀଳାମ୍ବର ନାଏକ, ଘନଶ୍ୟାମ ନାଏକ, ଜିତେନ୍ଦ୍ର ପ୍ରଧାନୀ,ସଞ୍ଜୟ ସିଙ୍ଘଲ, ରବି ନାରାୟଣ ଦାସ ପ୍ରମୁଖ ସ୍ବେଚ୍ଛାସେବୀଙ୍କ ସହ ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ଆମପାଣି ଜିଲା ପରିଷଦ ସଭ୍ୟ ହେମନ୍ତ ମାଝୀ, ଡୁଡୁକାଠେଙ୍ଗା ସରପଞ୍ଚ ହରିପ୍ରିୟା ନାଗ
ପ୍ରମୁଖ ପହଞ୍ଚି ଦମ୍ପତିଙ୍କ ନିକଟ ସମ୍ପର୍କୀୟଙ୍କୁ ଡାକିଥିଲେ। ହେଲେ କେହି ଆସି ନ ଥିଲେ। ପରେ ବ୍ଲକ ଉପାଧ୍ୟକ୍ଷ ଜିଲା ପରିଷଦ ସଭ୍ୟ ଓ ଉପସ୍ଥିତ କର୍ମକର୍ତ୍ତାମାନେ ବୃଦ୍ଧାଙ୍କୁ ଶେଷ ସମ୍ମାନ ଦେଇ ସ୍ଥାନୀୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସରପଞ୍ଚ ହରିଶ୍ଚନ୍ଦ୍ର ଯୋଜନାରେ ଘେନୁ ମାଝୀଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଛନ୍ତି।
ସୂଚନାଯାଗ୍ୟ, ପଞ୍ଚାୟତରୁ ସେମାନେ ବାର୍ଦ୍ଧକ୍ୟ ଭତ୍ତା ଏବଂ ରାଶନ ପାଉଥିଲେ। ଏପରିକି ଉନ୍ନୟନ ସମିତି ପକ୍ଷରୁ ମଧ୍ୟ ତାଙ୍କୁ ସହାୟତା ଯୋଗାଇ ଦିଆଯାଉଥିଲା। ଅନ୍ୟପକ୍ଷେ ପର୍ଯ୍ୟଟନ ସ୍ଥଳୀକୁ ଆସୁଥିବା ପର୍ଯ୍ୟଟକମାନେ ମଧ୍ୟ ତାଙ୍କୁ କିଛି ନା କିଛି ସାହାଯ୍ୟ କରୁଥିଲେ।