୮ରେ ଚୂଡ଼ାନ୍ତ ଶୁଣାଣି

କଟକ,୧ା୧୨ (କାର୍ତ୍ତିକ ସାହୁ):ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍‌ଓ) ପଦବୀର ଚୟନ ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଦୁଇଜଣିଆ ଖଣ୍ଡପୀଠ ଜାରି କରିଥିବା ସ୍ଥଗିତାଦେଶ ବଳବତ୍ତର ରହିଛି। ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଦ୍ୟୁତ୍‌ ରଞ୍ଜନ ଷଡ଼ଙ୍ଗୀ ଓ ବିଚାରପତି ମୁରାହରି ଶ୍ରୀରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଗୁରୁବାର ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ଆସନ୍ତା ଡିସେମ୍ବର ୮ରେ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି। ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଇଜିଲାସ୍‌ରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)କୁ ପୂର୍ବ ପ୍ରକାଶିତ ମେଧା ତାଲିକା ରଦ୍ଦ କରି ଆସନ୍ତା ୬ ସପ୍ତାହ ମଧ୍ୟରେ ନୂଆ ମେଧା ତାଲିକା ପ୍ରକାଶ କରିବାକୁ ଗତ ଅଗଷ୍ଟ ୪ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। କେତେଜଣ ପରୀକ୍ଷାର୍ଥୀ ଏହାର ପୁନର୍ବିଚାର ନିମନ୍ତେ ଦୁଇଜଣିଆ ଖଣ୍ଡପୀଠରେ ଆବେଦନ କରିଥିଲେ। ଖଣ୍ଡପୀଠ ଉକ୍ତ ଆବେଦନକୁ ଗ୍ରହଣ କରି ଜଣିକିଆ ବିଚାରପତି ଦେଇଥିବା ନିର୍ଦ୍ଦେଶ ଉପରେ ଗତ ଅଗଷ୍ଟ ୯ ତାରିଖରେ ସ୍ଥଗିତାଦେଶ ଜାରି କରିଥିଲେ।
ସୂଚନା ଅନୁସାରେ, ୨୦୨୨ ଅଗଷ୍ଟ ୨୭ରେ ୭୯୬ଟି ଏଏସ୍‌ଓ ପଦବୀ ଲାଗି ଓପିଏସ୍‌ସି ପକ୍ଷରୁ ଲିଖିତ ପରୀକ୍ଷା କରାଯାଇଥିଲା। ମୋଟ ୧ ଲକ୍ଷ ୪୮ ହଜାର ୮୮୮ ଜଣ ଆବେଦନକାରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୧୦୪ ଜଣ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ନେଇ ୨୦୨୨ ନଭେମ୍ବର ୭ରେ ଓପିଏସ୍‌ସି ବିଜ୍ଞପ୍ତି ପ୍ରକାଶ କରିଥିଲା। ଏଥିରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ପୂର୍ବ ମେଧା ତାଲିକା ଖାରଜ କରି ନୂତନ ମେଧା ତାଲିକା ପ୍ରସ୍ତୁତ କରିବାକୁ ଓପିଏସ୍‌ସିକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପୁଣି କେତେଜଣ ପରୀକ୍ଷାର୍ଥୀ ରିଟ୍‌ ପିଟିଶନ୍‌ ଦାଖଲ କରି ଏହି ମାମଲାରେ ପକ୍ଷଭୁକ୍ତ ହେବାକୁ ପ୍ରାର୍ଥନା କରିଥିଲେ। ଗତ ଜୁଲାଇ ୩୧ ତାରିଖରେ ହାଇକୋର୍ଟରେ ଉଭୟ ରିଟ୍‌ ପିଟିଶନ୍‌ ଓ ରିଭ୍ୟୁ ପିଟିଶନ୍‌ର ଏକତ୍ର ଶୁଣାଣି ହୋଇଥିଲା। ହାଇକୋର୍ଟ ପୂର୍ବ ନିର୍ଦ୍ଦେଶକୁ କାଏମ ରଖି ଦୁଇଟି ଯାକ ପିଟିଶନ୍‌କୁ ଖାରଜ କରିଦେଇଥିଲେ। ଏଏସ୍‌ଓ ନିଯୁକ୍ତି ନିମନ୍ତେ ଅନୁଷ୍ଠିତ ପରୀକ୍ଷାଫଳ ପ୍ରକାଶରେ ଅନିୟମିତତା ହୋଇଥିବା ମାମଲାର ଶୁଣାଣି ଗତ ମେ’ ୧୯ ତାରିଖରେ ହୋଇଥିଲା। ସେହି ଶୁଣାଣିରେ ହାଇକୋର୍ଟ ଏଏସ୍‌ଓ ନିଯୁକ୍ତି ନେଇ ଓପିଏସ୍‌ସି ଦ୍ୱାରା ପ୍ରକାଶିତ ମେଧା ତାଲିକାକୁ ଖାରଜ କରିଥିଲେ। ଏଥିସହ ଆସନ୍ତା ୨ ମାସ ମଧ୍ୟରେ ସାନି ମେଧା ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଓପିଏସ୍‌ସି ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନ କରିବାରୁ କେତେଜଣ ପରୀକ୍ଷାର୍ଥୀ ଓପିଏସ୍‌ସି ବିରୋଧରେ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲେ।