ବ୍ୟବସାୟୀଙ୍କ ମଧ୍ୟରେ ଛନକା

ଅନୁଗୋଳ ଅଫିସ,  ୧।୭  ପରିବେଶ ପ୍ରଦୂଷଣକୁ ଅଧିକ ବଢ଼ାଉଥିବା ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକକୁ ଜୁଲାଇ ୧ରୁ କେନ୍ଦ୍ର ସରକାର ନିଷିଦ୍ଧ କରିଛନ୍ତି। ତେଣୁ ଅନୁଗୋଳ ଜିଲାରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏ ନେଇ ପ୍ରଶାସନ ପକ୍ଷରୁ ଗୁରୁବାର ଅନୁଗୋଳ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଇଛି। ବିଶେଷକରି ବ୍ୟବସାୟୀମାନଙ୍କୁ ସଚେତନ ସହ ସତର୍କ କରିଦିଆଯାଇଛି। କେହି ଯେପରି ଏପରି ନିଷିଦ୍ଧ ପ୍ଲାଷ୍ଟିକ୍‌କୁ ଗ୍ରାହକଙ୍କ ହାତକୁ ବଢ଼ାଇ ନ ଦିଅନ୍ତି ସେ ନେଇ ଚେତାବନୀ ଦିଆଯାଇଛି। ନଚେତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଦିଆଯାଇଛି। ଆରମ୍ଭରୁ ପ୍ରଶାସନର ଏପରି କଡ଼ା ଆଭମୁଖ୍ୟକୁ ନେଇ ସହରର ବ୍ୟବସାୟୀଙ୍କ ମଧ୍ୟରେ ଛନକା ପଶିଯାଇଛି।
କେନ୍ଦ୍ର ସରକାର ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟାନ କରିବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠି ନଂ ୧୦୭୬୪/୨୨ା୬ା୨୦୨୨ରେ ପ୍ଲାଷ୍ଟିକ ପ୍ରସ୍ତୁତ କରୁଥିବା ସଂସ୍ଥା, ଷ୍ଟକିଷ୍ଟ, ରିଟେଲର, ଶିଳ୍ପସଂସ୍ଥା, ଦୋକାନୀ, ଇ-କମର୍ସ କମ୍ପାନୀ, ଷ୍ଟ୍ରିଟ ଭେଣ୍ଡର ପ୍ରମୁଖଙ୍କୁ ପ୍ଲାଷ୍ଟକ୍‌ ବନ୍ଦ ପାଇଁ ଚିଠି କରାଯାଇଥିଲା। ଏହାକୁ ଜୁଲାଇ ୧ ତାରିଖରୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯିବ ବୋଲି କୁହାଯାଇଥିଲା। ପ୍ଲାଷ୍ଟିକ କାଠିଯୁକ୍ତ ଇୟରବୋର୍ଡ, ପ୍ଲାଷ୍ଟିକ କାଠିଯୁକ୍ତ ବେଲୁନ୍‌, ଚକୋଲେଟ ଓ ଆଇସକ୍ରିମ୍‌ରେ ଲାଗିଥିବା ପ୍ଲାଷ୍ଟିକ୍‌ କାଠି, ପ୍ଲାଷ୍ଟିକ୍‌ ପ୍ଲେଟ, କପ୍‌, ଗ୍ଲାସ୍‌, କଣ୍ଟାଚାମଚ, ଚାମଚ, ଛୁରୀ, ଷ୍ଟ୍ର, ଟ୍ରେ, ମିଠା ଡବାରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଆବରଣ, ନିମନ୍ତ୍ରଣ ପତ୍ର, ସିଗାରେଟ୍‌ ପ୍ୟାକେଟ୍‌, ପ୍ଲାଷ୍ଟିକ ବୋତଲ, ପଲିଥିନ ଆଦିକୁ ବ୍ୟାନ୍‌ କରାଯାଇଥିବା ଜଣାଇ ଦିଆଯାଇଥିଲା। ଅନୁଗୋଳରେ ଏସବୁର ବହୁଳ ବ୍ୟବହାର ହେଉଥିବାରୁ ପ୍ରଶାସନ ପୂର୍ବରୁ ସତର୍କ ହୋଇଯାଇଥିଲା। ଅନ୍ୟପକ୍ଷରେ ପ୍ଲାଷ୍ଟିକ୍‌ ବ୍ୟବହାର ହେଉଥିଲେ ମଧ୍ୟ ଏହାକୁ ରିସାଇକ୍ଲିଂ କରିବାର ବ୍ୟବସ୍ଥା ଏଯାଏ କରାଯାଇନାହିଁ। ତେବେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ଅନୁଗୋଳ ଓ ତାଳଚେରରେ ଦୁଇଟି ପ୍ଲାଷ୍ଟିକ୍‌ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି। ଏ ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଥିବା ଜିଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଏହି ପ୍ଲାଣ୍ଟ ନିର୍ମାଣ ହେବା ପରେ ସହରରୁ ବାହାରୁଥିବା ପ୍ଲାଷ୍ଟିକ୍‌କୁ ବିଶୋଧନ କରାଯାଇ ଅନ୍ୟ ନିର୍ମାଣ କାର୍ଯ୍ୟରେ ବ୍ୟବହାର କରାଯାଇପାରିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।