ଭାରତ ବିପକ୍ଷରେ ଐତିହାସିକ କାରନାମା କଲେ ଫିଲ୍ମ:ବିଶ୍ୱର ପ୍ରଥମ ବ୍ୟାଟର ଭାବେ…

ୱେଲିଂଟନ,୨୦।୧୧:ନ୍ୟୁଜିଲାଣ୍ଡର ଷ୍ଟାର୍‌ ଅଲରାଉଣ୍ଡର ଗ୍ଲେନ ଫିଲିପ୍ସ ଭାରତ ବିପକ୍ଷରେ ୱେଲିଂଟନ୍‌ର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଶତକ ହାସଲ କରି ନୂଆ ଇତିହାସ ରଚିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଭାରତ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟର ତିନୋଟି ଯାକ ଫର୍ମାଟ (ଟେଷ୍ଟ, ଦିନିକିଆ ଓ ଟି-୨୦)ରେ ଶତକ ହାସଲ କରିବାରେ ସେ ବିଶ୍ୱର ପ୍ରଥମ ଖେଳାଳି ହୋଇଛନ୍ତି।

ଏହା ପୂର୍ବରୁ ୧୮ ଜାନୁଆରୀ ୨୦୨୬ରେ ଭାରତ ବିପକ୍ଷ ଦିନିକିଆରେ ଶତକ ହାସଲ କରିଥିଲେ ଫିଲିପ୍ସ। ଏହାପରେ ଅକ୍ଟୋବର ୩୦ରେ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ମଧ୍ୟ ଶତକ ମାରିଥିଲେ। ଏବେ ଟେଷ୍ଟରେ ଶତକ ହାସଲ କରି ସେ ଏହି ବିରଳ ରେକର୍ଡ ନିଜ ନାଁରେ କରିଛନ୍ତି।

ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୌଣସି ଗୋଟିଏ ଦଳ ବିପକ୍ଷରେ ତିନୋଟି ଯାକ ଫର୍ମାଟ ଶତକ ହାସଲ କରିବାରେ ଗ୍ଲେନ ଫିଲିପ୍ସ ବିଶ୍ୱର ଦ୍ୱିତୀୟ ବ୍ୟାଟର୍‌ ହୋଇଛନ୍ତି। ଏହା ପୂର୍ବରୁ ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମା ୨୦୧୭ରେ ଶ୍ରୀଲଙ୍କା ବିପକ୍ଷରେ ଟେଷ୍ଟ, ଦିନିକିଆ ଓ ଟି-୨୦ରେ ଶତକ ହାସଲ କରି ଏହି କୀର୍ତ୍ତିମାନ ସ୍ଥାପନ କରିଥିଲେ।

ଏଥିସହ ଫିଲିପ୍ସ ନ୍ୟୁଜିଲାଣ୍ଡର ପ୍ରଥମ ବ୍ୟାଟର୍‌ ଭାବେ ଗୋଟିଏ ଦେଶ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ତିନୋଟି ଫର୍ମାଟ୍‌ରେ ଶତକ ହାସଲ କରିଛନ୍ତି। ଭାରତ ବିପକ୍ଷରେ ତିନୋଟି ଫର୍ମାଟ୍‌ରେ ଶତକ ମାରିବାରେ ସେ ସେନ ୱାଟସନ ଓ ସାଇ ହୋପଙ୍କ ପରେ ତୃତୀୟ ଖେଳାଳି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଫିଲିପ୍ସ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଶତକ ହାସଲ କରିଛନ୍ତି। ପ୍ରଥମ ଦିନର ଖେଳରେ ସେ ଟେଷ୍ଟ କ୍ରିକେଟ୍‌ରେ ୧୦୦୦ ରନ ମଧ୍ୟ ପୂରଣ କରିଥିଲେ। ଏହି ମ୍ୟାଚ ପୂର୍ବରୁ ତାଙ୍କ ନାଁରେ ୨୦ଟି ଟେଷ୍ଟର ୩୪ ଇନିଂସରେ ୩୮.୩୫ ହାରରେ ୧୦୭୪ ରନ ରହିଛି।

ମ୍ୟାଚ୍‌ରେ ପ୍ରଥମ ଦିନରେ ନ୍ୟୁଜିଲାଣ୍ଡ ମାତ୍ର ୭୦ ରନ୍‌ରେ ୫ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ଏଭଳି ସମୟରେ ସପ୍ତମ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଗ୍ଲେନ ଫିଲିପ୍ସ ଓ ହେନରୀ ନିକୋଲସ ଦଳର ଦାୟିତ୍ୱ ସମ୍ଭାଳିଥିଲେ। ଉଭୟଙ୍କ ମଧ୍ୟରେ ଷଷ୍ଠ ଉଇକେଟ ପାଇଁ ୨୧୬ ରନ୍‌ର ଦମାର ଭାଗୀଦାରି ହୋଇଥିଲା।

ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ୯୪ ରନ୍‌ରେ ଅପରାଜିତ ଥିବା ଫିଲିପ୍ସ ଦ୍ୱିତୀୟ ଦିନରେ ନିଜ ଶତକ ପୂରଣ କରିଥିଲେ। ୧୯୪ଟି ବଲ୍‌ରେ ଶତକ ହାସଲ କରିଥିବା ଏହି ବ୍ୟାଟର୍‌ ମୋଟ ୨୧୬ଟି ବଲ୍‌ରେ ସମ୍ମୁଖୀନ ହୋଇ ୧୪ଟି ଚୌକା ସହ ୧୧୮ ରନ୍‌ର ଲଢ଼ୁଆ ଇନିଂସ ଖେଳିଥିଲେ। ଶେଷରେ ଭାରତୀୟ ଦ୍ରୁତ ବୋଲର ଆକାଶ ଦୀପ ୯୪ତମ ଓଭରରେ ତାଙ୍କୁ ବୋଲ୍ଡ କରି ଏହି ଭାଗୀଦାରିରେ ବ୍ରେକ ଲଗାଇଥିଲେ।

 

Dharitri – Odisha’s No.1 Odia Daily

 

Share