ମଧ୍ୟ ପ୍ରଦେଶରେ ଫିଲ୍ମ କେରଲା ଷ୍ଟୋରି ହେଲା ଟ୍ୟାକ୍ସ ଫ୍ରି

ଭୋପାଳ,୬।୫: ବହୁ ବିବାଦ ମଧ୍ୟରେ ଫିଲ୍ମ ‘ଦି କେରଲା ଷ୍ଟୋରି’ ଶୁକ୍ରବାର ହଲ୍‌ରେ ରିଲିଜ୍‌ ହୋଇଛି। ରିଲିଜ ପୂର୍ବରୁ ଅନେକ ରାଜନୈତିକ ଦଳ ଏବଂ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟିର ଲୋକ ଏହାକୁ ବିରୋଧ କରିଥିଲେ ଏବଂ ନିଷେଧାଦେଶ ଦାବି କରିଥିଲେ। କିନ୍ତୁ ଦର୍ଶକ ହଲ୍‌ରେ ଏହି ଫିଲ୍ମକୁ ଭଲ ରେସପନ୍ସ ଦେଇଛନ୍ତି। ତେବେ ରିଲିଜ୍‌ ପରେ କେତେକ ରାଜ୍ୟରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରାଯାଇଛି।

ମହାରାଷ୍ଟ୍ରର ହିନ୍ଦୁ ସକଳ ସମାଜ ଗୋଷ୍ଠୀ କହିଛନ୍ତି ଯେ, ଫିଲ୍ମ ଦି କେରଲା ଷ୍ଟୋରି ଲଭ ଜିହାଦର ସମସ୍ତ ପ୍ରକ୍ରିୟା ଲୋକଙ୍କ ସାମ୍ନାରେ ଉପସ୍ଥାପନ କରିବ ଏବଂ ଏହି ଫିଲ୍ମକୁ ଦେଖିବା ପରେ ହିନ୍ଦୁ ସମାଜର ଝିଅଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବ। ଏଥିସହ ନାଶିକର ସକଳ ହିନ୍ଦୁ ସମାଜ ପକ୍ଷରୁ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଅନୁରୋଧ କରାଯାଇଛି।
ମହାରାଷ୍ଟ୍ରରେ ଫିଲ୍ମ କେରଲା ଷ୍ଟୋରିକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରାଯାଉଥିବାବେଳେ ମଧ୍ୟପ୍ରଦେଶ ସରକାର ଏହାକୁ ଟ୍ୟାକ୍ସ ଫ୍ରି କରିଛନ୍ତି। ମୁଖମନ୍ତ୍ରୀ ଶିବରାଜ ସିଂ ଚୌହାନ ଶନିବାର ଟୁଇଟ ଜରିଆରେ ଏହି ବିଷୟରେ ଘୋଷଣା କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ, ‘ଦି କେରଲା ଷ୍ଟୋରି’ ହେଉଛି ଏକ ଏପରି ଫିଲ୍ମ ଯାହା ଆତଙ୍କବାଦର ଭୟାନକ ସତ୍ୟକୁ ପ୍ରକାଶ କରିଛି। ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି।

Share