Categories: ଖେଳ

ଆସିଲା ଏଫ୍‌ଆଇଏଚ୍‌ ର଼୍ୟାଙ୍କିଙ୍ଗ, ଷଷ୍ଠରେ ପୁରୁଷ ହକି ଦଳ, ନବମରେ ମହିଳା

ନୂଆଦିଲ୍ଲୀ,୧୨ା୩: ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ପୁରୁଷ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତ ଚତୁର୍ଥ ସ୍ଥାନକୁ ଖସି ଆସିଥିବା ବେଳେ ଏଫଆଇଏଚ୍‌ ହକି ଅଲିମ୍ପିକ କ୍ୱାଲିଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଜର୍ମାନୀ ତୃତୀୟ ସ୍ଥାନ ଦଖଲ କରିଛି।

ଏସିଆନ ଗେମ୍ସରେ ସ୍ବର୍ଣ୍ଣ ଜିତି ଭାରତ(୨୭୬୧) ପ୍ୟାରିସ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିସାରିଛି। ତେଣୁ ଦଳକୁ ନିକଟରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫାୟର୍ସରେ ଭାଗ ନେବାକୁ ପଡ଼ି ନ ଥିଲା। ଅନ୍ୟପକ୍ଷରେ ଓମାନରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲିଫାୟର୍ସରେ ଜର୍ମାନୀ (୨୭୮୬) ଅପରାଜିତ ରହିଥିଲା। ସାଣ୍ଟିଆଗୋ ଡେଲ୍‌ ଏଷ୍ଟିରୋ ମିନି ଟୁର୍ନାମେଣ୍ଟ ଏଫଆଇଏଚ୍‌ ପ୍ରୋ-ଲିଗ୍‌ରେ ଦଳ ଦୁଇଟି ବିଜୟ ବ୍ୟତୀତ ଆର୍ଜେଣ୍ଟିନା ଏବଂ ବେଲଜିୟମର ଯୁବ ଦଳ ବିପକ୍ଷ ମ୍ୟାଚ ଡ୍ର ରଖିଥିଲା। ଫଳରେ ଜର୍ମାନୀ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତକୁ ଅତିକ୍ରମ କରିଥିଲା। ନେଦରଲାଣ୍ଡ୍ସ (୩୦୬୦) ପୂର୍ବ ଭଳି ର଼୍ୟାଙ୍କିଙ୍ଗ ତାଲିକାର ଶୀର୍ଷରେ ରହିଛି।

ସ୍ପେନର ଭାଲେନ୍‌ସିଆରେ ଅନୁଷ୍ଠିତ ଅଲିମ୍ପିକ କ୍ୱାଲି ଫାୟର୍ସରେ ପ୍ରଭାବୀ ପ୍ରଦର୍ଶନ ପାଇଁ ବେଲଜିୟମ (୨୮୪୮) ର଼୍ୟାଙ୍କିଙ୍ଗ ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିପାରିଛି।

ଭାରତରେ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ମିନି ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଅଷ୍ଟ୍ରେଲିଆ (୨୭୫୭) ଇଂଲଣ୍ଡ (୨୭୨୦)କୁ ଅତିକ୍ରମ କରି ୫ମ ସ୍ଥାନ ଅଧିକାର କରିଛି। ଆର୍ଜେଣ୍ଟିନା (୨୫୨୪) ଓ ସ୍ପେନ (୨୨୯୬) ଯଥାକ୍ରମେ ୭ମ ଓ ୮ମ ସ୍ଥାନ ବଜାୟ ରଖିଛନ୍ତି। ଫ୍ରାନ୍ସ (୨୦୮୫) ୯ମ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ଓମାନଠାରେ ଅନୁୁଷ୍ଠିତ ଅଲିମ୍ପିକ କ୍ୱାଲିଫାୟର୍ସରେ ଉତ୍ତମ ପ୍ରଦର୍ଶନ କରି ଟପ୍‌ ଟେନ୍‌କୁ ଫେରିଛି। ଏହି ଟୁର୍ନାମେଣ୍ଟରେ ଦଳ ବ୍ରୋଞ୍ଜ ପଦକ ମୁକାବିଲାରେ ପାକିସ୍ତାନକୁ ହରାଇ ଦେଇଥିଲା।

ମହିଳା ର଼୍ୟାଙ୍କିଙ୍ଗରେ ନେଦରଲାଣ୍ଡ୍ସ ପ୍ରଥମ ସ୍ଥାନରେ ରହିଥିବା ବେଳେ ପ୍ୟାରିସ ଗେମ୍ସ ପାଇଁ ଯୋଗ୍ୟତା ହାସଲ କରି ନ ଥିବା ଭାରତ (୨୨୧୫)କୁ ୯ମ ସ୍ଥାନ ମିଳିଛି।

ନେଦରଲାଣ୍ଡ୍ସ ପ୍ରୋ ଲିଗ୍‌ ସିଜନ ୫ରେ ଏହାର ସମସ୍ତ ୧୨ଟି ଯାକ ମ୍ୟାଚ ଜିତିିଛି। ସାଣ୍ଟିଆଗୋ ଡେଲ୍‌ ଏଷ୍ଟିରୋ ମିନି ଟୁର୍ନାମେଣ୍ଟରେ ଆର୍ଜେଣ୍ଟିନା (୨୮୨୭) ଓ ଜର୍ମାନୀ (୨୭୩୨) ଅଷ୍ଟ୍ରେଲିଆକୁ ଅତିକ୍ରମ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛି।

ଅଷ୍ଟ୍ରେଲିଆ(୨୬୭୮)ଚତୁର୍ଥ ସ୍ଥାନରେ ରହିଥିବା ବେଳେଏଫଆଇଏଚ୍‌ ପ୍ରୋ-ଲିଗ୍‌ରେ କ୍ରମାଗତ ପରାଜୟ ଯୋଗୁ ବେଲଜିୟମ ଗୋଟିଏ ସ୍ଥାନ ତଳଖୁ ଖସିଆସିଛି। ଇଂଲଣ୍ଡ (୨୩୦୪)ଷଷ୍ଠ ସ୍ଥାନରେ ରହିଥିବାବେଳେ ଏହାପଛକୁ ସ୍ପେନ (୨୨୪୪) ସପ୍ତମ ସ୍ଥାନରେ ରହିଛି। ଫେବୃଆରୀରେ ଭାରତରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ରେ ଚାଇନା ପ୍ରଭାବୀ ପ୍ରଦର୍ଶନ ସହ ଦ୍ୱିତୀୟ ସ୍ଥାନରେ ରହିବା ଦ୍ୱାରା ଭାରତ (୨୨୧୫)କୁ ପଛରେ ପକାଇ ଚାଇନା (୨୨୨୬) ୮ମ ସ୍ଥାନ ଅଧିକାର କରିଛି।

Share