ଭୋକ ସହ ୫ ପ୍ରାଣୀଙ୍କ ଲଢ଼େଇ

କାମାକ୍ଷାନଗର, ୨୪ା୫(ଡି.ଏନ.ଏ.):  ‘ଗରିବଗୁରୁବାଙ୍କୁ ମାଗଣାରେ ଖାଇବାକୁ ଦେଉଥିବା ଜାଣିବା ପରେ ଧାଇଁ ଆସିଥିଲି। ହେଲେ ଆସିବା ବେଳକୁ ସବୁ ସରିଗଲାଣି। ଲୋକମାନେ ପଳାଇଲେଣି। ମତେ ନ ହେଲା ନାହିଁ, ମୋ ପାଗଳା ପୁଅଟା ପାଇଁ ଦି ମୁଠା ଖାଇବାକୁ ଦିଅ। ଖରାରେ ଆଉଟୁପାଉଟୁ ହେଉଛି। ପେଟରେ ଦାନା ନ ପଡ଼ିଲେ ତା’ ଜୀବନ ପଳାଇବ’। ୭୦ ବର୍ଷୀୟା ବୃଦ୍ଧା ସୁକାନ୍ତିଙ୍କ ଏଇ ଦୁଇ ଧାଡ଼ି ହିଁ ସ୍ପଷ୍ଟ କରୁଥିଲା ଭୋକ ସହ ଲଢ଼େଇର ବିକଳ ଚିତ୍ର, ଯାହା କରୋନା ମହାମାରୀ ସମୟରେ ସରକାରୀ ବ୍ୟବସ୍ଥାର ବାସ୍ତବତାକୁ ପଦାକୁ ପକାଇବାକୁ ଯଥେଷ୍ଟ।
ଏପଟେ ଭୋକ, ସେପଟେ ଭୂତାଣୁ। ଏ ଭିତରେ ଫସିଯାଇଛନ୍ତି ସୁକାନ୍ତି ଏବଂ ତାଙ୍କ ପରିବାରର ଅନ୍ୟ ୪ ସଦସ୍ୟ। ଅବେଳରୁ ବୋହୂ ଚାଲିଯିବା ପରେ ପୁଅ ହରାଇଛନ୍ତି ମାନସିକ ଭାରସାମ୍ୟ। ଘରେ ୩ ନାତୁଣୀନାତି। ରାତି ପାହିଲେ ୫ ପ୍ରାଣୀ କୁଟୁମ୍ବଙ୍କ ପେଟପାଟଣା ଚିନ୍ତା। ଏଭଳି ସବୁଦିନିଆ ସଂଘର୍ଷମୟ ଜୀବନ ଓ ଆବର୍ଜନା ଭିତରେ ଖୁସି ଖୋଜୁଛନ୍ତି ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ବାଟଗଁା ପଞ୍ଚାୟତ ବ୍ରାହ୍ମଣିଆ ଗ୍ରାମର ସୁକାନ୍ତି ପଧାନ।
ସୁକାନ୍ତିଙ୍କ ଘର କଙ୍କଡ଼ାହାଡ଼ରେ। ହେଲେ ମାନସିକ ଭାରସାମ୍ୟ ହରାଇଥିବା ପୁଅଙ୍କ ସହ ତାଙ୍କୁ ପ୍ରତିଦିନ ଦେଖିବାକୁ ମିଳେ କାମାକ୍ଷାନଗରରେ। ସହରର ଗଳିକନ୍ଦିରେ କୁଢ଼କୁଢ଼ ଆବର୍ଜନାରେ ଘାଣ୍ଟି ହୋଇ ବୋତଲ, ଭଙ୍ଗା ଲୁହା ସଂଗ୍ରହ କରନ୍ତି ସେ। ଦିନସାରା ସଂଗ୍ରହ କରିଥିବା ବର୍ଜ୍ୟ ସାମଗ୍ରୀକୁ କବାଡ଼ିଆ ଦୋକାନରେ ବିକ୍ରି କରି ଯାହା ରୋଜଗାର ହୁଏ, ସେଥିରେ ଚଳେ ତାଙ୍କ ସଂସାର। କଥାରେ ଆସିଛି ଦୁଃଖ ଆସେ ସାଙ୍ଗସାଥୀଙ୍କୁ ନେଇ। ସମୟ ଚକ୍ରରେ ଯାହାକୁ ଅଙ୍ଗେ ନିଭାଇଛନ୍ତି ସୁକାନ୍ତି। ନିଜର ସଂଘର୍ଷମୟ ଜୀବନ କାହାଣୀ ବିଷୟରେ ସେ କୁହନ୍ତି, ସେମାନେ ଶୀତଳା ସମ୍ପ୍ରଦାୟର। ମାଣ, ଗଉଣି, ଚଲା ଆଦି ବିକ୍ରି କରି ତାଙ୍କ ପରିବାର ହସଖୁସିର ପରିବାର ଚଳୁଥିଲା। ୧୦ ବର୍ଷ ତଳେ ସ୍ବାମୀ ଏବଂ ୪ ବର୍ଷ ତଳେ ବୋହୂଙ୍କ ମୃତ୍ୟୁ ହୋଇଯିବାପରେ ପରିବାର ଉପରକୁ ମାଡ଼ିଆସିଲା ଦୁଃଖର କଳାବାଦଲ। ବୋହୂଙ୍କ ମୃତ୍ୟୁ ପୁଅକୁ ଏଭଳି ଆଘାତ ପହଞ୍ଚାଇଲା ଯେ, ତା’ର ମାନସିକ ସ୍ଥିତି ବିଗିଡ଼ିଗଲା। ଘରେ ୧୫ ଏବଂ ୧୩ ବର୍ଷର ଦୁଇଜଣ ନାତୁଣୀ, ୧୧ ବର୍ଷର ନାତି ସାଙ୍ଗକୁ ମାନସିକ ଭିନ୍ନକ୍ଷମ ପୁଅଙ୍କ ବୋଝ ବୋହୁଛନ୍ତି ସୁକାନ୍ତି। ଆଧାରକାର୍ଡ ନ ଥିବାରୁ ସରକାରୀ ଯୋଜନାରୁ ବଞ୍ଚତ୍ତ ହୋଇ ରହିଛନ୍ତି ଏହି ଗରିବ ପରିବାର। ନିଜ ଦୁଃଖ ବଖାଣି ସୁକାନ୍ତି କୁହନ୍ତି, ତାଙ୍କୁ ରାଶନ ସାମଗ୍ରୀ ମିଳୁଥିଲା। ହେଲେ ଆଧାରକାର୍ଡ ନ ଥିବାରୁ ୪ ମାସ ହେଲା ଏହା ବନ୍ଦ ହୋଇଯାଇଛି। ଭତ୍ତା ମଧ୍ୟ ମିଳୁନାହିଁ। ସ୍ବାମୀଙ୍କୁ ମିଳିଥିବା ପୁରୁଣା ଇନ୍ଦିରା ଆବାସ ଘର ଭାଙ୍ଗିରୁଜି ଗଲାଣି। ସରକାର ଗରିବ ପରିବାର ଲାଗି ଏତେ ଯୋଜନା କରିଥିବାବେଳେ ଏସବୁ କାହାପାଇଁ ବୋଲି ସେ କ୍ଷୋଭର ସହ କହିଛନ୍ତି।
ଏ ସମ୍ପର୍କରେ କଙ୍କଡାହାଡ଼ ବିଡିଓ ଖଗେଶ୍ୱର ପାତ୍ରଙ୍କୁ ବାରମ୍ବାର ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ଉପଖଣ୍ଡ ଯୋଗାଣ ଅଧିକାରୀ ସଞ୍ଜୟ କୁମାର ସାହୁ କୁହନ୍ତି, ସୁକାନ୍ତିଙ୍କୁ ଚାଉଳ ମିଳୁ ନ ଥିବା ସମ୍ପର୍କରେ ସେ ଅବଗତ ନାହାନ୍ତି। ସମସ୍ୟା ବୁଝି ସମାଧାନ କରିବା ଲାଗି ଉଦ୍ୟମ କରିବେ।