୨ ଭାଇଙ୍କ ମଧ୍ୟରେ ହାତାହାତି, ଚାଲିଗଲା ବଡ଼ ଭାଇଙ୍କ ଜୀବନ

ଓଡ଼ାପଡ଼ା,୨୪।୩(ରଞ୍ଜିତ ନାୟକ): ଢେଙ୍କାନାଳ ସଦର ଥାନା ଗୁଣଦେଇ ପଞ୍ଚାୟତ ଅଧୀନ କାଉଁରିଆପାଳ ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଜମିବାଡ଼ି ସମସ୍ୟାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ କଳହ ସହ ହାତାହାତି ହେବା ସମୟରେ ବଡ଼ ଭାଇଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଦ୍ମଚରଣ ମହାନ୍ତି।

ପୋଲିସ ସୂଚନା ମୁତାବକ, ଜମିବାଡ଼ିକୁ କେନ୍ଦ୍ରକରି କାଉଁରିଆପାଳ ଗ୍ରାମର ପଦ୍ମଚରଣ ମହାନ୍ତି ଏବଂ ତାଙ୍କ ସାନ ଭାଇ ବରୁଣ କୁମାର ମହାନ୍ତି ହାତାହାତି ହୋଇଥିଲେ। ଏହି ସମୟରେ ପଦ୍ମଚରଣ ଗୁରୁତର ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ସଦର ପୋଲିସ ପହଞ୍ଚି ବରୁଣ ଏବଂ ତାଙ୍କ ସ୍ତ୍ରୀ ଓ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।