ଆତଙ୍କବାଦ ବିରୋଧରେ ପୂର୍ଣ୍ଣଶକ୍ତିରେ ଲଢ଼ିବା ଜରୁରୀ: ଶେହବାଜ ସରିଫ…

ଇସଲାମାବାଦ,୪।୭ : ପାକିସ୍ତାନ ଆତଙ୍କବାଦ କାରଖାନା ବୋଲ ସମଗ୍ର ବିଶ୍ୱ ଅବଗତ ଅଛି। ଏବେ ବି ସାରା ବିଶ୍ୱରେ ଘୋଷିତ ଆତଙ୍କବାଦୀମାନେ ପାକିସ୍ତାନରେ ମୁକ୍ତ ଭାବରେ ବୁଲୁଛନ୍ତି। କିନ୍ତୁ ପାକିସ୍ତାନ ନିଜେ ନିଜ ଦେଶରେ ଆତଙ୍କବାଦକୁ ଆଶ୍ରୟ ଦେଇ ଏବେ ଚିନ୍ତାରେ ପଡ଼ିଛି। ଏହାର ଏକ ଉଦାହରଣ ହେଉଛି ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀରେ ପାକ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଆତଙ୍କବାଦକୁ ଲୋପ କରିବାକୁ କହିଛନ୍ତି। ଆତଙ୍କବାଦ ବିରୋଧରେ ପୂର୍ଣ୍ଣଶକ୍ତିରେ ଲଢ଼ିବା ଜରୁରୀ ବୋଲି ସେ କହିଛନ୍ତି।

ସେ ମଙ୍ଗଳବାର ଆତଙ୍କବାଦ ଏବଂ ଉଗ୍ରବାଦକୁ ଅନେକ ମୁଣ୍ଡ ବିଶିଷ୍ଟ ରାକ୍ଷସ ବୋଲି କହିଛନ୍ତି। ଶାହାବାଜ କହିଛନ୍ତି ଆତଙ୍କବାଦ ବ୍ୟକ୍ତିବିଶେଷ, ଗୋଷ୍ଠୀ ବିରୋଧରେ ସମ୍ପୂର୍ଣ୍ଣ ଶକ୍ତି ଏବଂ ଦୃଢ଼ତାର ସହ ଲଢ଼ିବା ଉଚିତ। ଭର୍ଚୁଆଲ ମାଧ୍ୟମରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ)ର ୨୩ ତମ ବୈଠକକୁ ସମ୍ବୋଧିତ କରି ସେ ଧାର୍ମିକ ସଂଖ୍ୟାଲଘୁମାନଙ୍କ ବିଷୟରେ ମଧ୍ୟ ଆଲୋଚନା କରିଥିଲେ।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ କହିଛନ୍ତି ଆତଙ୍କବାଦକୁ ରାଜନୈତିକ ଲାଭ ପାଇଁ ଅସ୍ତ୍ର ଭାବେ ବ୍ୟବହାର କରିବାର କୌଣସି ପ୍ରଲୋଭନକୁ ଏଡ଼ାଇବା ଉଚିତ। ଆତଙ୍କବାଦକୁ ନିନ୍ଦା କରି ସେ କହିଛନ୍ତି ବିନା କାରଣରେ ନିରୀହ ଲୋକଙ୍କୁ ହତ୍ୟା କରିବାର କୌଣସି ଯଥାର୍ଥତା ହୋଇପାରିବ ନାହିଁ। ଆହୁରି ମଧ୍ୟ କହିଛନ୍ତି ଆତଙ୍କବାଦ ବିପଦକୁ ମୁକାବିଲା କରିବା ପାଇଁ ପାକିସ୍ତାନ ଦେଇଥିବା ବଳିଦାନର କୌଣସି ତୁଳନା ନାହିଁ। ଆତଙ୍କବାଦ ପାକିସ୍ତାନ ଉପରେ ପ୍ରଭାବ ପକାଉଛି। ଏହା ଶାନ୍ତି ଏବଂ ସ୍ଥିରତା ପାଇଁ ଏକ ଗୁରୁତର ପ୍ରତିବନ୍ଧକ ଅଟେ।

ଧାର୍ମିକ ସଂଖ୍ୟାଲଘୁ ପ୍ରସଙ୍ଗରେ ସେ କୌଣସି ଦେଶର ନାମ ନ ନେଇ କହିଛନ୍ତି ଧାର୍ମିକ ସଂଖ୍ୟାଲଘୁଙ୍କୁ ଘରୋଇ ରାଜନୈତିକ ଏଜେଣ୍ଡା କରିବା ଅଭ୍ୟାସ ବନ୍ଦ କରାଯିବା ଉଚିତ। ପ୍ରଧାନମନ୍ତ୍ରୀ ସରିଫ ମଧ୍ୟ କଶ୍ମୀର ପ୍ରସଙ୍ଗ ଉଠାଇ କହିଥିଲେ ଦୀର୍ଘ ଦିନ ଧରି ଚାଲିଆସୁଥିବା ବିବାଦର ସମାଧାନ ପାଇଁ ଜାତିସଂଘର ନିଷ୍ପତ୍ତିଗୁଡ଼ିକର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ଆତଙ୍କବାଦ, ଉଗ୍ରବାଦ ଏବଂ ବିଚ୍ଛିନ୍ନତାବାଦର ତିନୋଟି ମନ୍ଦ ବିଷୟରେ ଶାହାବାଜ ମଧ୍ୟ ଆଲୋଚନା କରିଥିଲେ ଏବଂ ସେମାନଙ୍କୁ ପ୍ରତିରୋଧ କରିବା ପାଇଁ ଉଭୟ ଜାତୀୟ ତଥା ସାମୂହିକ ସାମର୍ଥ୍ୟରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସସିଓ ଦେଶମାନଙ୍କୁ ଅନୁରୋଧ କରିଥିଲେ।

 

Share