ମଦ ପିଇ ମରିଛନ୍ତି ୫୦ ଜଣ

ଭୁବନେଶ୍ୱର,୧୭।୭(ବ୍ୟୁରୋ): ବିଷାକ୍ତ ମଦ ପିଇବା ଦ୍ୱାରା ରାଜ୍ୟରେ କେତେଜଣଙ୍କ ଜୀବନ ଯାଇଛି ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଜାଣିବାକୁ ଚାହିଁଥିଲେ। ବିଧାନସଭାରେ ସାଲୁଜା ପଚାରିଥିବା ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଥିଲେ, ୨୦୧୦ରୁ ୨୦୨୨ ମଧ୍ୟରେ ଯେଉଁମାନେ ବିଷାକ୍ତ ମଦ ପିଇବା ଦ୍ୱାରା ମୃତ୍ୟୁବରଣ କରିଛନ୍ତି ସେମାନଙ୍କ ସଂଖ୍ୟା ୫୦। ଏହାସହ ଭଦ୍ରକ ମଦ ମୃତ୍ୟୁ କଥାକୁ ସେ ସ୍ବୀକାର କରିଛନ୍ତି। ନିର୍ବାଚନ ବେଳେ ବିଷାକ୍ତ ମଦ ପିଇ ଭଦ୍ରକ ଜିଲାର ୯ ଜଣ ପ୍ରାଣ ହରାଇଛନ୍ତି। ସେହିପରି ୨୦୧୧-୧୯ରେ କଟକ ମଦ ମୃତ୍ୟୁରେ ୪୧ ଜଣ ପ୍ରାଣ ହରାଇଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି, ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନଗୁଡିକରେ କେବଳ ସରକାରଙ୍କ ଦ୍ୱାରା ଅନୁମୋଦିତ ଓ ପରୀକ୍ଷିତ ମଦ ବିକ୍ରି କରିବା ପାଇଁ ଲାଇସେନ୍ସ ଦିଆଯାଇଥାଏ। ଯଦି କୌଣସି ସରକାରୀ ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ବିଷାକ୍ତ ଦ୍ରବ୍ୟର ଉପସ୍ଥିତି ଓ ଉପାଦାନ ସମ୍ପର୍କରେ ଧରାପଡେ ଏବଂ ରସାୟନିକ ପରୀକ୍ଷଣ ପରେ ଯଦି ବିଷାକ୍ତ ଦ୍ରବ୍ୟର ଉପସ୍ଥିତି, ଉପାଦାନ ସମ୍ପର୍କରେ ପ୍ରମାଣ ହସ୍ତଗତ ହୁଏ ତେବେ ୧୦ ଲକ୍ଷ ଟଙ୍କାର ଜରିମାନା ସହ ୧୦ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ବ୍ୟବସ୍ଥା ରହିଛି।