ଲଣ୍ଡନ,୨ା୮: ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ୨୨୪ ରନ କରିଥିବା ଭାରତ ପ୍ରତିପକ୍ଷ ଇଂଲଣ୍ଡକୁ ୨୪୭ ରନରେ ସୀମିତ ରଖିଥିଲା। ଫଳରେ ୨୩ ରନରେ ପଛୁଆ ଥିବା ଭ୍ରମଣକାରୀ ଭାରତ ଦ୍ୱିତୀୟ ଇନିଂସରେ ତୃତୀୟ ଦିନ ୭୭ ଓଭର ଶେଷ ସୁଦ୍ଧା ୭ ଉଇକେଟ ହରାଇ ୩୨୭ ରନ କରିଛି। ରବୀନ୍ଦ୍ର ଜାଡେଜା ୩୬ ଓ ଓ୍ବାଶିଂଟନ ସୁନ୍ଦର ୪ ରନରେ ବ୍ୟାଟିଂ କରୁଛନ୍ତି। ମ୍ୟାଚ୍ରେ ଏବେ ଭାରତୀୟ ଦଳ ହାତରେ ୩ ଉଇକେଟ ସୁରକ୍ଷିତ ରଖି ୩୦୪ ରନରେ ଆଗରେ ରହିଛି। ମ୍ୟାଚ୍ ବେଳେ ଭାରତୀୟ ଦିନିକିଆ ଦଳର ଅଧିନାୟକ ରୋହିତ ଶର୍ମା ଗ୍ରାଉଣ୍ଡରେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
ତୃତୀୟ ଦିନ ତଥା ଶନିବାର ଭାରତୀୟ ଦଳ ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୭୫/୨ରୁ ବ୍ୟାଟିଂ ଆରମ୍ଭ କରିଥିଲା। ପୂର୍ବଦିନ ଅପରାଜିତ ଥିବା ବ୍ୟାଟର ଯଶସ୍ବୀ ଜୟସ୍ବାଲ ଓ ନାଇଟ୍ଓ୍ବାଚ ମ୍ୟାଚ୍ ଭାବେ ଚତୁର୍ଥ କ୍ରମରେ ବ୍ୟାଟିଂ କରିଥିବା ଆକାଶ ଦୀପ ଧୈର୍ଯ୍ୟର ସହ ପ୍ରାୟତଃ ପ୍ରଥମ ସେସନ ଖେଳିଥିଲେ।
ଜୟସ୍ବାଲ ୧୪ ଚୌକା ଓ ୨ ଛକା ସହାୟତାରେ ୧୧୮ ରନର ଶତକୀୟ ପାଳି ଖେଳି ଆଉଟ୍ ହୋଇଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ଥିଲା। ଆକାଶ ୬୬ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଏହା ତାଙ୍କ ଟେଷ୍ଟ କ୍ୟାରିୟରର ପ୍ରଥମ ଅର୍ଦ୍ଧଶତକ ଥିଲା। ଦୁହେଁ ଆଉଟ୍ ହେବା ପୂର୍ବରୁ ତୃତୀୟ ଉଇକେଟରେ ୧୦୭ ରନ୍ ଯୋଡ଼ିଥିଲେ। ଅଧିନାୟକ ଶୁବମନ ଗିଲ (୧୧) ଓ କରୁଣ ନାୟର (୧୭) ବିଫଳ ହୋଇଥିଲେ। ଦୁହେଁ ଗସ୍ ଆଟକିନସନଙ୍କ ବଲରେ ଆଉଟ୍ ହୋଇଥିଲେ। ଏହାପରେ ଜାଡେଜା ଓ ଜୁରେଲ ସପ୍ତମ ଉଇକେଟରେ ୫୦ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୩୨୩ ହୋଇଥିବା ବେଳେ ଜୁରେଲ ୩୪ ରନ କରି ପାଭିଲିଅନ ଫେରିଥିଲେ। ଇଂଲଣ୍ଡ ପକ୍ଷରୁ ଆଟକିନସନ ୩ ଉଇକେଟ ନେଇଥିବା ବେଳେ ଜୋଶ ଟଙ୍ଗ ଓ ଜେମି ଓଭରଟନ ଦୁଇଟି ଲେଖାଏ ଉଇକେଟ ହାତେଇଛନ୍ତି।


