Categories: ଫୁରସତ

୧୫ ବର୍ଷ ପରେ ଯୁବତୀ ଜାଣିଲେ ସେ ଜଣେ ଯୁବକ: ମାତାପିତା ଚିନ୍ତାରେ

ପୁଣେ, ୨୭।୧: ମହାରାଷ୍ଟ୍ରର ପୁଣେରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବତୀ ୧୫ ବର୍ଷ ପରେ ନିଜକୁ ଚିହ୍ନି ପାରିଛନ୍ତି। ସେ ଜଣେ ଯୁବକ ବୋଲି ଜଣାପଡ଼ିଛି। ଏନେଇ ମାତାପିତାଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଏହା ଦ୍ୱାରା ତାଙ୍କର ପରିଚିତି ବଦଳିଯିବାର ଆଶଙ୍କା ସୃଷ୍ଟି ହୋଇଛି। ମାତାପିତା ତାଙ୍କୁ ଯୁବତୀ ଭାବେ ପୂର୍ବ ପରିଚିତି ଜାରି ରଖିବା ଲାଗି ଡାକ୍ତରଙ୍କୁ ଅନୁରୋଧ କରିଛନ୍ତି। ପୁଣେରେ ବାସ କରୁଥିବା ଏହି ଯୁବତୀଙ୍କର ମାସିକ ଧର୍ମ ଆରମ୍ଭ ନ ହେବାରୁ ମାତାପିତା ଡାକ୍ତରଙ୍କ ସହିତ ପରାମର୍ଶ କରିଥିଲେ। ଡାଙ୍କର ପରୀକ୍ଷା ନିରୀକ୍ଷା କରି ଜାଣି ପାରିଥିଲେ ଯେ, ଯୁବତୀଙ୍କଠାରେ ପୁରୁଷ ହରମୋନ୍‌ ଏଣ୍ଡ୍ରୋଜେନ୍‌ କ୍ଷରଣ ହେଉଛି। ଏହା ଆନୁବଂଶିିକ କାରଣରୁ ହୋଇଥିବା ଡାକ୍ତର କହିଛନ୍ତି। ଏଭଳି ଶାରୀରିକ ସମସ୍ୟାକୁ ଏଣ୍ଡ୍ରୋଜେନ୍‌ ଇନସେନ୍‌ସିଓ୍ବିଟି ସିଣ୍ଡ୍ରୋମ୍‌ (ଏଆଇଏସ୍‌) କୁହାଯାଇଥାଏ। ଏହି ସମସ୍ୟାରେ ଶିଶୁକନ୍ୟା ଜନ୍ମ ହୋଇଥିଲେ ମଧ୍ୟ ତାଠାରେ ପୁରୁଷଗତ ଶାରୀରିକ ଲକ୍ଷଣ ପ୍ରକାଶ ପାଇଥାଏ। ଯୁବତୀଙ୍କଠାରେ ଆଶିଂକ ଏଆଇଏସ୍‌ ଲକ୍ଷଣ ପ୍ରକାଶ ପାଇଥିବା ଡାକ୍ତର ମନିଶ ମଚାଓ୍ବେ କହିଛନ୍ତି। ଏବେ ଯୁବତୀଙ୍କର କେତେକ ସର୍ଜରୀ କରାଯିବା ପାଇଁ ଏକ ଡାକ୍ତରୀ ଦଳ ଗଠନ କରାଯାଇଛି। ତାଙ୍କର ପରିଚିତି ବଞ୍ଚାଇ ବଖିବା ଲାଗି ଏସବୁ କରାଯାଉଛି। ଏହାପରେ ଏକ ପ୍ରଜନନ ଅଙ୍ଗ ଲାପ୍ରୋସ୍କୋପିକ୍‌ ଭେଜିନୋପ୍ଲାଷ୍ଟି ଦ୍ୱାରା କରାଯିବ। ତେବେ ଯୁବତୀ ଜଣକ ଗର୍ଭଧାରଣ କରିବାକୁ ସକ୍ଷମ ହେବେ ନାହିଁ। ତାଙ୍କଠାରେ ଗର୍ଭାଶୟ ନ ଥିବାରୁ ଏଭଳି ସମ୍ଭବ ହେବ ନାହିଁ। ଯୁବତୀ ଜଣକ ୧୮ ବର୍ଷ ପରେ ସାଧାରଣ ଜୀବନ ଜୀଇଁବାକୁ ସକ୍ଷମ ହେବେ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

Share