ବିଶ୍ୱାସରେ ବିଷ ଦେଇ ନେଇଗଲେ ୧୫ ଶହ

ଅନୁଗୋଳ ଅଫିସ, ୨୬।୭ ଅନୁଗୋଳ ମେଡିକାଲରେ ଦଲାଲମାନେ ଏବେ ମଧ୍ୟ ସକ୍ରିୟ ଅଛନ୍ତି। ରୋଗୀ ଓ ସମ୍ପର୍କୀୟଙ୍କ ମନରେ ବିଶ୍ୱାସ ଜନ୍ମାଇ ତାଙ୍କଠାରୁ ହଜାର ହଜାର ଟଙ୍କା ଠକି ନେଉଛନ୍ତି। ସୋମବାର ସକାଳେ ଜଣେ ରୋଗୀଙ୍କ ସମ୍ପର୍କୀୟଙ୍କ ବିଶ୍ୱାସରେ ଏପରି ବିଷ ଦେଇ ଜଣେ ଦଲାଲ ୧୫ ଶହ ଟଙ୍କା ନେଇ ଗାଏବ ହୋଇଯିବା ଚର୍ଚ୍ଚାର ବିଷୟ ହୋଇଛି।
ପ୍ରକାଶ ଯେ, ବନ୍ତଳା ଖିଣ୍ଡା ନିକଟବର୍ତ୍ତୀ ମହୀଧରପଡା ଗାଁର ପ୍ରଭାକର ବେହେରା ଗୁରୁତର ଅସୁସ୍ଥ ହୋଇ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ରକ୍ତ ଆବଶ୍ୟକ ପଡ଼ିବାରୁ ପୁଅ ପ୍ରକାଶ ଓ ସ୍ତ୍ରୀ ଝଟକା ରକ୍ତ ସଂଗ୍ରହ ପାଇଁ ଉଦ୍ୟମ କରୁଥିଲେ। ଏହି ଖବର ଦଲାଲଙ୍କ ନିକଟରେ ପହଞ୍ଚିବା ପରେ ସେ ପ୍ରଭାକରଙ୍କ ପୁଅଙ୍କୁ ଭେଟି ନିଜେ ବନ୍ତଳା ଅଞ୍ଚଳର ବୋଲି ପରିଚୟ ଦେଇଥିଲେ। ଏଥିସହ ଗୋଟିଏ ଅଞ୍ଚଳର ଲୋକ ହୋଇଥିବାରୁ ସୁବିଧାରେ ରକ୍ତ ସଂଗ୍ରହ କରାଇଦେବେ ବୋଲି କହି ବିଶ୍ୱାସ ଜନ୍ମାଇଥିଲେ। ଏପରି କି ବ୍ଲଡ ସାମ୍ପୁଲ୍‌କୁ ନିଜେ ନେଇ ବ୍ଲଡ ବ୍ୟାଙ୍କକୁ ଯାଇଥିଲେ। ଏହାପରେ ସମ୍ପୃକ୍ତ ଦଲାଲ କିଛି ଔଷଧ କିଣିବା ପାଇଁ ୧୫ ଶହ ଟଙ୍କା ଆବଶ୍ୟକ ବୋଲି ପ୍ରକାଶଙ୍କୁ କହିବା ସହ ୧୦ ମିନିଟ ଭିତରେ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ରକ୍ତ ସଂଗ୍ରହରେ ସହାୟତା ଆଶାରେ ପ୍ରକାଶ ମଧ୍ୟ ତାଙ୍କୁ ଟଙ୍କା ଦେଇଦେଇଥିଲେ। ହେଲେ ଟଙ୍କା ପାଇବା ପରେ ଦଲାଲ ଜଣକ ସେଠାରୁ ତତ୍‌କ୍ଷଣାତ ଚମ୍ପଟ୍‌ ମାରିଥିଲେ। ଦୀର୍ଘ ଘଣ୍ଟାଏ ଧରି ଅପେକ୍ଷା ପରେ ପ୍ରକାଶ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ ବୋଲି ଅଭିଯୋଗ କରିଛନ୍ତି।