Posted inଖେଳ

ଆଜିଠୁ ଫିଫା ଯୁବ ବିଶ୍ୱକପ୍‌

ଫିଫା ଯୁବ ବିଶ୍ୱକପ୍‌(୨୦ ବର୍ଷରୁ କମ୍‌)ର ୨୩ତମ ସଂସ୍କରଣ ଶନିବାରଠାରୁ ଆର୍ଜେଣ୍ଟିନାରେ ଆରମ୍ଭ ହେବାକୁ ଯାଉଛି। ଫିଫା ସହ ଅନୁବନ୍ଧିତ ବିଶ୍ୱର ୨୪ଟି ଯୁବ ଦଳ ଏଥିରେ ଅଂଶଗ୍ରହଣ କରିବେ। ୧୯୭୭ରେ ଏହା ଆରମ୍ଭ ହୋଇଥିଲା ା ସେବେଠାରୁ ଏହା ଫିଫା ଓ୍ବାଲର୍‌ଡ ୟୁଥ୍‌ ଚାମ୍ପିୟନଶିପ୍‌ଭାବେ ପରିଗଣିତ ହୋଇଆସୁଛି। ଟୁର୍ନାମେଣ୍ଟର ଆୟୋଜନ ଅଧିକାର ପ୍ରକୃତରେ ଇଣ୍ଡୋନେସିଆ ପାଇଥିଲା। ଏହି ଦେଶ ପ୍ରଥମଥର ପାଇଁ ୨୦୨୧ରେ ଉକ୍ତ ପ୍ରତିଯୋଗିତା ଆୟୋଜନ କରିବା କଥା। ମାତ୍ର କୋଭିଡ୍‌-୧୯ ମହାମାରୀ ପାଇଁ ଟୁର୍ନାମେଣ୍ଟକୁ ବାତିଲ କରାଗଲା ଏବଂ ୨୦୨୩ରେ ଏହାକୁ ଆୟୋଜନ କରିବାକୁ ଇଣ୍ଡୋନେସିଆକୁ ଅଧିକାର ପ୍ରଦାନ କରାଗଲା। ଇଣ୍ଡୋନେସିଆ କିନ୍ତୁ ଇସ୍ରାଏଲ୍‌ର ଅଂଶଗ୍ରହଣକୁ ବିରୋଧ କରିବାରୁ ୨୦୨୩ ମାର୍ଚ୍ଚ ୨୯ରେ ଏହାଠାରୁ ଆୟୋଜନ ଅଧିକାର ପ୍ରତ୍ୟାହାର କରି ନିଆଗଲା। ୨୦୨୩ ଏପ୍ରିଲ ୧୭ରେ ଫିଫା ଆନୁଷ୍ଠାନିକ ଭାବେ ଏହାର ଆୟୋଜନ ଅଧିକାର ଆର୍ଜେଣ୍ଟିନାକୁ ପ୍ରଦାନ କଲା। ତେଣୁ ଅଧିକାର ପାଇବାର ଏକମାସ ପରେ ଆର୍ଜେଣ୍ଟିନା ଏହି ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଯାଉଛି। ମେ’ ୨୦ରୁ ପ୍ରତିଯୋଗିତା ଆରମ୍ଭ ହେବ ଏବଂ ଜୁନ୍‌ ୧୧ ପର୍ଯ୍ୟନ୍ତ ଚାଲିବ।
ଭାଗନେବେ ୨୪ ଦଳ
୨୦ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ୬ଟି କନ୍‌ଫେଡେରେଶନର ୨୪ଟି ଦଳ ଅଂଶଗ୍ରହଣ କରିବେ। ତଦନୁସାରେ ଏସିଆନ ଫୁଟବଲ କନ୍‌ଫେଡେରେଶନ (ଏଏଫ୍‌ସି)ରୁ ଇରାକ, ଜାପାନ, ଦକ୍ଷିଣ କୋରିଆ ଓ ଉଜବେକିସ୍ତାନ, କନ୍‌ଫେଡେରେଶନ୍‌ ଅଫ୍‌ ଆଫ୍ରିକାନ୍‌ ଫୁଟବଲ (ସିଏଏଫ୍‌)ରୁ ଗାମ୍ବିଆ, ନାଇଜେରିଆ, ସେନେଗାଲ ଓ ଟ୍ୟୁନିସିଆ, କନ୍‌ଫେଡେରେଶନ୍‌ ଅଫ୍‌ ନର୍ଥ, ସେଣ୍ଟ୍ରାଲ ଆମେରିକା ଆଣ୍ଡ କାରିବିୟନ ଆସୋସିଏଶନ ଫୁଟବଲ (ସିଓଏନ୍‌ସିଏସିଏଏଫ୍‌)ରୁ ଡୋମିନିକାନ୍‌ ରିପବ୍ଲିକ୍‌, ଗୁଏଟେମାଲା, ହଣ୍ଡୁରାସ ଓ ଆମେରିକା ଦଳ ଭାଗନେବେ। ସେହିପରି ସାଉଥ୍‌ ଆମେରିକାନ୍‌ ଫୁଟବଲ କନ୍‌ଫେଡେରେଶନ୍‌ରୁ ଆର୍ଜେଣ୍ଟିନା, ବ୍ରାଜିଲ, କଲମ୍ବିଆ, ଇକ୍ୱେଡର ଓ ଉରୁଗୁଏ, ଓସେନିଆ ଫୁଟବଲ କନ୍‌ଫେଡେରେଶନ (ଓସିଏଫ୍‌)ରୁ ଫଇଜି ଓ ନ୍ୟୁଜିଲାଣ୍ଡ ଏବଂ ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନନ୍ସ (ୟୁଇଏଫ୍‌ଏ)ରୁ ଇଂଲଣ୍ଡ, ଫ୍ରାନ୍ସ, ଇଟାଲି, ଇସ୍ରାଏଲ୍‌ ଓ ସ୍ଲୋଭାକିଆ ଦଳ ଅଂଶଗ୍ରହଣ କରିବେ। ଭାଗ ନେବାକୁ ଯାଉଥିବା ୨୪ ଦଳକୁ ୬ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏ ଦଳ ସ୍ଥାନ ପାଇଛନ୍ତି। ପ୍ରତି ଗ୍ରୁପ୍‌ର ଶୀର୍ଷରେ ରହିଥିବା ୨ ଦଳ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ୪ଟି ଶ୍ରେଷ୍ଠ ଦଳକୁ ନେଇ ରାଉଣ୍ଡ ଅଫ୍‌-୧୬ ପର୍ଯ୍ୟାୟ ଅନୁଷ୍ଠିତ ହେବ। ଏଥିରୁ ଶ୍ରେଷ୍ଠ ୮ଟି ଦଳ କ୍ୱାର୍ଟର ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। କ୍ୱାର୍ଟର ଫାଇନାଲ ୪ଟି ଜୁନ୍‌ ୩ ଓ ୪, ସେମିଫାଇନାଲ ଜୁନ୍‌ ୮ ଏବଂ ଫାଇନାଲ ୧୧ ତାରିଖରେ ଅନୁଷ୍ଠିତ ହେବ।
୪ ଭେନ୍ୟୁ
ଏଥର ପ୍ରତିଯୋଗିତାର ମ୍ୟାଚଗୁଡ଼ିକ ଆର୍ଜେଣ୍ଟିନାର ୪ଟି ଭେନ୍ୟୁରେ ଅନୁଷ୍ଠିତ ହେବ। ଏହା ମଧ୍ୟରେ ଲା ପ୍ଲାଟା (ଇଷ୍ଟାଡିଓ ୟୁନିକୋ ଡିଏଗୋ ଆର୍ମାଣ୍ଡୋ ମାରାଡୋନା) ଷ୍ଟାଡିୟମର ଦର୍ଶକ କ୍ଷମତା ସର୍ବାଧିକ ୫୩,୦୦୦। ମେଣ୍ଡୋଜା (ଇଷ୍ଟାଡିଓ ମାଲ୍‌ଭିନାସ ଆର୍ଜେଣ୍ଟିନାଜ୍‌)ର କ୍ଷମତା ୪୨,୦୦୦ ଥିବାବେଳେ ସାଣ୍ଟିଆଗୋ ଡେଲ୍‌ ଇଷ୍ଟେରୋ (ଇଷ୍ଟାଡିଓ ୟୁନିକୋ ମାଡ୍ରି ଡି’ ସିଉଡାଡେସ)ର ୩୦,୦୦୦ ଓ ସାନ୍‌ ଜୁଆନ (ଇଷ୍ଟାଡିଓ ସାନ୍‌ ଜୁଆନ୍‌ ଡେଲ୍‌ ବିସେନ୍‌ଟେନାରିଓ)ର ଦର୍ଶକ କ୍ଷମତା ୨୫,୨୮୬। ସେମିଫାଇନାଲ ଓ ଫାଇନାଲ ଲା ପ୍ଲାଟା ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଆର୍ଜେଣ୍ଟିନା ସବୁଠାରୁ ସଫଳ ଦଳ

ଟୁର୍ନାମେଣ୍ଟର ଇତିହାସ ଅବଲୋକନ କଲେ ଆୟୋଜକ ଆର୍ଜେଣ୍ଟିନା ହିଁ ସବୁଠାରୁ ସଫଳ ଦଳ ଭାବେ ଉଭାହୁଏ। ଏହି ଦଳ ସର୍ବାଧିକ ୬ଥର ୧୯୭୯, ୧୯୯୫, ୧୯୯୭, ୨୦୦୨, ୨୦୦୫ ଓ ୨୦୦୭ରେ ଚାମ୍ପିୟନ ହୋଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି ବ୍ରାଜିଲ। ଏହି ଦଳ ୧୯୮୩, ୧୯୮୫, ୧୯୯୩, ୨୦୦୩ ଓ ୨୦୧୧ରେ ଟାଇଟଲ ହାସଲ କରିଛି। ପର୍ତ୍ତୁଗାଲ (୧୯୮୯, ୧୯୯୧) ଓ ସର୍ବିୟା (୧୯୮୭, ୨୦୧୫)ରେ ୨ ଥର ଲେଖାଏ ଚାମ୍ପିୟନ ହୋଇଛନ୍ତି। ଅନ୍ୟ ଦଳଗୁଡ଼ିକ ମଧ୍ୟରେ ୨୦୦୯ରେ ଘାନା, ୧୯୯୯ରେ ସ୍ପେନ୍‌, ୧୯୭୭ରେ ରୁଷିଆ, ୧୯୮୧ରେ ଜର୍ମାନୀ, ୨୦୧୭ରେ ଇଂଲଣ୍ଡ, ୨୦୧୩ରେ ଫ୍ରାନ୍ସ ଓ ୨୦୧୯ରେ ୟୁକ୍ରେନ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ଅତୀତରେ ନାଇଜେରିଆ, ଉରୁଗୁଏ, ମେକ୍ସିକୋ, ଦକ୍ଷିଣ କୋରିଆ, କାତାର, ଜାପାନ, ଚେକ୍‌ ରିପବ୍ଲିକ୍‌ ଓ ଭେନେଜୁଏଲା ଫାଇନାଲ ଖେଳିଥିଲେ ମଧ୍ୟ ଟାଇଟଲ ବିଜୟର ସ୍ବାଦ ପାଇନାହାନ୍ତି। ୨୦୧୯ରେ ପୋଲାଣ୍ଡରେ ଅନୁଷ୍ଠିତ ଗତ ସଂସ୍କରଣର ଫାଇନାଲରେ ୟୁକ୍ରେନ ୩-୧ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଚାମ୍ପିୟନ ହୋଇଥିଲା।

ପ୍ରଥମ ଦିବସରେ ୪ ମ୍ୟାଚ୍‌

ଫିଫା ଯୁବ ବିଶ୍ୱକପ୍‌ର ପ୍ରଥମ ଦିବସରେ ଶନିବାର ୪ଟି ମ୍ୟାଚ ଅନୁଷ୍ଠିତ ହେବ। ଏହାର ପ୍ରଥମ ମ୍ୟାଚ ଗୁଏଟେମାଲା-ନ୍ୟୁଜିଲାଣ୍ଡ ଏବଂ ଦ୍ୱିତୀୟ ମ୍ୟାଚ ଆର୍ଜେଣ୍ଟିନା-ଉଜ୍‌ବେକିସ୍ତାନ ମଧ୍ୟରେ ଅନୁଷ୍ଠିତ ହେବ। ସେହିପରି ତୃତୀୟ ମ୍ୟାଚ ଆମେରିକା-ଇକ୍ୱେଡର ଓ ୪ର୍ଥ ମ୍ୟାଚ ଫିଜି-ସ୍ଲୋଭାକିଆ ମଧ୍ୟରେ ଖେଳାଯିବ। ଗତଥରର ଚାମ୍ପିୟନ ତଥା ଯୁଦ୍ଧଗ୍ରସ୍ତ ୟୁକ୍ରେନ ଏଥର ଯୋଗ୍ୟତା ଅର୍ଜନ କରିନାହିଁ। ତେଣୁ କଣ୍ଟିନେଣ୍ଟାଲ ଚାମ୍ପିୟନ ଇଂଲଣ୍ଡ, ବ୍ରାଜିଲ ଓ ସେନେଗାଲ ପରି ଦଳ ଟାଇଟଲ ପାଇଁ ଫେଭରାଇଟ ରହିବେ। ରେକର୍ଡ ୬ ଥର ଚାମ୍ପିୟନ ଏଥର ଯୋଗ୍ୟତା ହାସଲରେ ବିଫଳ ହୋଇଥିଲେ ହେଁ ଆୟୋଜକ ଦଳଭାବେ ଖେଳିବା ସୁଯୋଗ ପାଇଛି। ଗତ ୪ ସଂସ୍କରଣରେ ୟୁରୋପିଆନ ଦଳଗୁଡ଼ିକ ଚାମ୍ପିୟନ ହୋଇଛନ୍ତି। ତେଣୁ ଏଥରର ପ୍ରତିଯୋଗିତା କଡ଼ା ସଂଘର୍ଷପୂର୍ଣ୍ଣ ହେବା ଆଶା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୟ ଜଗନ୍ନାଥ ଶୁଣି ବିଗିଡ଼ି ଗଲେ କଂସ ମହାରାଜ: ଆଉ ତା’ପରେ ଘଟିଲା…

ମଥୁରାନଗରୀ,୩୧।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସବୁଠାରୁ ଅନନ୍ୟ ଓ ନିଆରା। ଏଠାରେ ମଥୁରା ଅଛି, ଗୋପପୁର ମଧ୍ୟ ରହିଛି। ସେହିପରି ଯମୁନା...

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ବିଶ୍ୱର ୪ର୍ଥ ବୃହତ୍ ଅର୍ଥନୀତି ପାଲଟିଲା ଭାରତ; ୨୦୩୦ ସୁଦ୍ଧା ଜର୍ମାନୀକୁ ଟପିବା ଲକ୍ଷ୍ୟ

ନୂଆଦିଲ୍ଲୀ,୩୦।୧୨: ବିଶ୍ୱ ଅର୍ଥନୀତି ମାନଚିତ୍ରରେ ଭାରତର ଦବଦବା ଜାରି ରହିଛି। ଜାପାନକୁ ଟପି ଭାରତ ଏବେ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୈତିକ ଶକ୍ତି ଭାବେ ଉଭା...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

UAE ର ଦୁଇ ଜାହାଜ ଉପରେ ଏୟାରଷ୍ଟ୍ରାଇକ୍ କଲା ସାଉଦି ଆରବ, ଦେଲା ୨୪ ଘଣ୍ଟା ଅଲ୍ଟିମେଟମ୍

ନୂଆଦିଲ୍ଲୀ,୩୦।୧୨: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପଶ୍ଚିମ ଏସିଆର ଦୁଇ ଶକ୍ତିଶାଳୀ ଦେଶ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ (UAE) ମଧ୍ୟରେ ତିକ୍ତତା ଚରମ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri