Categories: ଖେଳ

ଫିଫା ଫୁଟ୍‌ବଲ ଫର୍‌ ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ

ଭୁବନେଶ୍ୱର, ୧୨।୧୦ (କ୍ରୀଡ଼ା ପ୍ରତିନିଧି): ଫିଫା ଫୁଟବଲ ଫର ସ୍କୁଲ୍ସ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଏମ୍‌ପି ଅଚ୍ୟୁତ ସାମନ୍ତ କନ୍ଧମାଳ ଓ ବୌଦ୍ଧ ଜିଲାର ୧୦୦ ସ୍କୁଲ୍‌କୁ ୨୦୦୦ ଫୁଟବଲ ବଣ୍ଟନ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ବିଧାୟକ ଅଙ୍ଗଦ କହଁର, କନ୍ଧମାଳ ଜିଲାପାଳ ଆଶିଷ କୁମାର ପାଟିଲ ଓ ବୌଦ୍ଧ ଜିଲାପାଳ ସତ୍ୟରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଭାରତର ପ୍ରଥମ ରାଜ୍ୟଭାବେ ଓଡ଼ିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଦକ୍ଷିଣ ଏସିଆର ୭ କୋଟି ସ୍କୁଲ ପିଲାଙ୍କୁ ଫୁଟବଲ ବାଣ୍ଟିବା ପାଇଁ କିସ୍‌ ସ୍କୁଲକୁ ନୋଡାଲ ସେଣ୍ଟରଭାବେ ଚୟନ କରିଥିବାରୁ ଫିଫାକୁ ଅଚ୍ୟୁତ ଧନ୍ୟବାଦ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମ ଦ୍ୱାରା ତୃଣମୂଳ ସ୍ତରରେ ଫୁଟବଲର ମାନରେ ଉନ୍ନତି ହୋଇପାରିବ ବୋଲି ସେ ପ୍ରକାଶ କରିଛନ୍ତି।

ମହିଳା ଓ ପୁରୁଷ ବିଭାଗରେ ରାଜ୍ୟ ଫୁଟବଲ ଚାମ୍ପିୟନଶିପ୍‌ କନ୍ଧମାଳ ଓ ବୌଦ୍ଧରେ ଅନୁଷ୍ଠିତ ହେବ ବୋଲି ଏହି ଅବସରରେ ଅଚ୍ୟୁତ ଘୋଷଣା କରିଥିଲେ। ଏହି ପ୍ରସ୍ତାବ ଗ୍ରହଣ କରିଥିବାରୁ ଫୁଟବଲ ଆସୋସିଏଶନ ଅଫ୍‌ ଓଡ଼ିଶା ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।

Share