ଦୁବାଇ/ନୂଆଦିଲ୍ଲୀ,୧୨ା୩ (ଏ.ପି./ରଏଟର୍ସ):ମଧ୍ୟପ୍ରାଚ୍ୟର ଯୁଦ୍ଧର ଭୟଙ୍କର ପରିଣାମ ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଜଳପଥ ଦେଇ ଆସୁଥିବା ତୈଳ ପରିବହନକାରୀ ବାଣିଜି୍ୟକ ଜାହାଜଗୁଡ଼ିକୁ ଇରାନ୍ ଆକ୍ରମଣ କରୁଥିବାରୁ ବିଭିନ୍ନ ଦେଶରେ ତୈଳ ଓ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି। ଏହିକ୍ରମେ ଭାରତକୁ ଆସୁଥିବା ଥାଇଲାଣ୍ଡର ଏକ ଜାହାଜ ଉପରେ ବୁଧବାର ଅଜ୍ଞାତ ସ୍ଥାନରୁ ଅତର୍କିତ ଆକ୍ରମଣ ହୋଇଛି। ରୟାଲ ଥାଇ ନେଭିର ମୟୂରୀ ନାରୀ ନାମକ ଉକ୍ତ ଜାହାଜରେ ୩ ଭାରତୀୟଙ୍କ ସମେତ ୨୩ କ୍ରିଉ ମେମ୍ବର ଥିଲେ। ଜାହାଜ ଉପରେ ପ୍ରୋଜେକ୍ଟାଇଲ ଆକ୍ରମଣ ପରେ ସେଥିରେ ନିଅଁା ଲାଗିଯିବାରୁ ଏହାର ଇଞ୍ଜିନ ନଷ୍ଟ ହୋଇଯିବା ସହ ୨ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ମୟୂରୀ ନାରୀ ଜାହାଜରୁ ଥାଇଲାଣ୍ଡର ୨୦ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି।
ଇରାନ୍ ସହ ଆମେରିକା-ଇସ୍ରାଏଲ୍ର ଯୁଦ୍ଧ ପରିପ୍ରେକ୍ଷୀରେ ବୈଶ୍ୱିକ ତୈଳ ଓ ପ୍ରାକୃତିକ ବାଷ୍ପ ବଜାର ଫୁଲି ଉଠିଥିବାବେଳେ ଉଭୟ ପକ୍ଷରୁ ବାକ୍ୟ ବିନିମୟ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଇରାନ୍ ବିରୋଧୀ ଯୁଦ୍ଧକୁ ନେଇ ବିଭିନ୍ନ ସମୟରେ ନିଜ ମତ ବଦଳାଇ ଚାଲିଥିବାରୁ ଆଗକୁ କ’ଣ ହେବ ତାହା କହିହେଉନାହିଁ। ଏଭଳି ସ୍ଥିତିରେ ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକରେ ଭାରତ ସମେତ ଅନେକ ରାଷ୍ଟ୍ରର ତୈଳ ପରିବହନକାରୀ ଜାହାଜ ଫସିରହିଛି। ସ୍ଥିତିରେ ସାମାନ୍ୟ ସୁଧାର ପରିଲକ୍ଷିତ ହେଲେ ଜାହାଜଗୁଡ଼ିକ ଜଳପଥ ଦେଇ ଅଗ୍ରସର ହେଉଛନ୍ତି। ଇରାନ୍ ସେଗୁଡ଼ିକୁ ଆକ୍ରମଣ କରୁଥିବାରୁ ଧନଜୀବନ ହାନି ହେଉଛି। ଏହାର ପ୍ରଭାବରୁ ଭାରତ ନିଜକୁ ମୁକ୍ତ କରିପାରି ନାହିଁ। ଥାଇଲାଣ୍ଡ ଜାହାଜରେ ଆକ୍ରମଣ ପରେ ନିଅଁା ଲାଗିଯିବାରୁ ୩ ଭାରତୀୟ ନିଖୋଜ ହୋଇଯାଇଥିବା ନେଇ ଜାହାଜ ପରିଚାଳନାକାରୀ ପ୍ରେସିଅସ୍ ଶିପିଂ ପକ୍ଷରୁ ବୁଧବାର ଏକ ବିବୃତିରେ କୁହାଯାଇଛି। କିନ୍ତୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ୨ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ଓ ଜଣେ ନିଖୋଜ ହୋଇଯାଇଥିବା ସ୍ପଷ୍ଟ କରିଛି। ଜାହାଜଗୁଡ଼ିକର ଚଳାଚଳ ଉପରେ ନଜର ରଖୁଥିବା ଓ୍ବେବ୍ସାଇଟ୍ ଭେସେଲ୍ ଫାଇଣ୍ଡର ନିଜ ଓ୍ବେବ୍ସାଇଟ୍ରେ ଦର୍ଶାଇଛି ଯେ ଜାହାଜଟି ଗୁଜରାଟର କାଣ୍ଡଲା ଅଭିମୁଖେ ଯାତ୍ରା କରୁଥ୍ତ୍ଲା। ଆକ୍ରମଣ ପରେ ଉକ୍ତ ଜାହାଜରୁ ୨୦ ଜଣଙ୍କୁ ଓମାନ ନୌସେନା ପକ୍ଷରୁ ଉଦ୍ଧାର କରାଯାଇଛି।
ପାରସ୍ୟ ଉପସାଗରରେ ଅଦ୍ୟାବଧି ୨୮ଟି ଭାରତୀୟ ଜାହାଜ ଫସିରହିଛି। ସେଗୁଡ଼ିକରେ ୭୭୮ ଜଣ କ୍ରିଉ ମେମ୍ବର ରହିଥିବା ଭାରତ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରୁ ୨୪ ଭାରତୀୟ ଜାହାଜରେ ଥିବା ୭୭୮ ଜଣଙ୍କ ମଧ୍ୟରୁ ୬୭୭ କ୍ରିଉ ମେମ୍ବର କେବଳ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ର ପଶ୍ଚିମ ଭାଗରେ ଫସି ରହିଛନ୍ତି। ଅନ୍ୟ ପୂର୍ବ ଭାଗରେ ଥିବା ୪ ଜାହାଜରେ ୧୦୧ ଜଣ ରହିଛନ୍ତି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିତି ଉପରେ ସକ୍ରିୟ ନଜର ରଖାଯାଇଛି। ଉକ୍ତ ଜାହାଜଗୁଡ଼ିକ ସହ ସେଥିରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କୁ ସୁରକ୍ଷିତ ଭାବେ କିପରି ଉଦ୍ଧାର କରାଯିବ ତାହା ଉପରେ ସରକାର ଜୋର୍ ଦେଉଛନ୍ତି। ଏଥିପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟ ଦୂତାବାସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଜରୁରୀ ପଦକ୍ଷେପ ନେଉଥିବା ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା ସୂଚନା ଦେଇଛନ୍ତି। ଇତିମଧ୍ୟରେ ସ୍ଥିତି ଉପରେ ନଜର ରଖିବା ପାଇଁ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି।
Dharitri – Odisha’s No.1 Odia Daily

