କପିଶାରେ ଜୋର୍‌ଦାର ଲଢ଼େଇ

କାବୁଲ, ୨୯।୮ : ପୂର୍ବତନ ଉପରାଷ୍ଟ୍ରପତି ଅମ୍‌ରୁଲ୍ଲା ସାଲେହଙ୍କ ନେତୃତ୍ୱରେ ପ୍ରତିରୋଧୀ ବାହିନୀ ଆଫଗାନିସ୍ତାନର କପିଶା ପ୍ରଦେଶରେ ତାଲିବାନ ବିରୋଧରେ ଜୋର୍‌ଦାର ଲଢ଼େଇ ଜାରି ରଖିଛି। ଏଥିରେ ବହୁସଂଖ୍ୟାରେ ତାଲିବାନ ଆତଙ୍କବାଦୀ ନିହତ ହେଲେଣି। କପିଶା ପ୍ରଦେଶର ସାଞ୍ଜନ ଏବଂ ବାଗଲାନ ପ୍ରଦେଶର ଖୋଷ୍ଟ ଓ୍ବା ଫେରେଙ୍ଗ ଜିଲାରେ ଉଭୟ ପକ୍ଷ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ଏହା ବ୍ୟତୀତ ପଞ୍ଜଶିର ପ୍ରଦେଶରେ ପ୍ରତିରୋଧୀ ଶକ୍ତିର ଦୃଢ଼ ଜବାବ ଯୋଗୁ ସୁନ୍ନି ପସ୍ତୁନ୍‌ ଗୋଷ୍ଠୀ ପଛକୁ ଫେରିବାକୁ ବାଧ୍ୟ ହୋଇଛି। ପଞ୍ଜଶିରରେ ତାଲିବାନର ଅସ୍ତ୍ରବିରତି ଉଲ୍ଲଂଘନ କରିବାରୁ ପ୍ରତିରୋଧୀ ଶକ୍ତି ଏହାର ଦୃଢ଼ ଜବାବ ଦେଇଛି।
ପଞ୍ଜଶିର ଏକମାତ୍ର ରାଜ୍ୟ ଯାହା ତାଲିବାନ ଦଖଲକୁ ଯାଇନାହିଁ। ଗୁରୁବାର କାବୁଲ ବିମାନବନ୍ଦର ବାହାରେ ଆଇଏସ୍‌ର ଆତ୍ମଘାତୀ ବିସ୍ଫୋରଣରେ ୧୩ ଆମେରିକୀୟ ଯବାନଙ୍କ ସମେତ ପ୍ରାୟ ୨୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ପରେ ସାରା ବିଶ୍ୱ ଆତଙ୍କବାଦ ବିରୋଧରେ ଏକାଠି ହେବା ଲାଗି ସାଲେହ ଆହ୍ବାନ ଦେଇଥିଲେ। ବିଶ୍ୱ ଆତଙ୍କବାଦ ନିକଟରେ ମୁଣ୍ଡ ନ ନୁଆଁଉ ଏବଂ କାବୁଲ ବିମାନବନ୍ଦରକୁ ମାନବତା ଉପରେ ଆକ୍ରମଣର ସ୍ଥଳ ଭାବେ ଛାଡ଼ିଦିଆଯାଇପାରିବ ନାହିଁ ବୋଲି ସେ ଶୁକ୍ରବାର ଟୁଇଟ୍‌ କରିଥିଲେ।

କଥାରେ ନୁହେଁ, କାମରେ ଦେଖାଉ ତାଲିବାନ୍‌

କୂଟନୈତିକ ସ୍ବୀକୃତି ପାଇବାକୁ ହେଲେ ତାଲିବାନ୍‌ ଦେଇଥିବା ପ୍ରତିଶ୍ରୁତି ପାଳନ କରୁ। ଉକ୍ତ ସଂଗଠନ କଥାରେ ନୁହେଁ, କାର୍ଯ୍ୟରେ କରି ତାହା ଦେଖାଉ ବୋଲି ଆମେରିକା କହିଛି। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧିତ କରି ଆମେରିକା ପରରାଷ୍ଟ୍ର ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ରର କୂଟନୈତିକ ଉପସ୍ଥିତି ଜାରି ରହୁ ଏହା ତାଲିବାନ ଚାହୁଁଥିବା ସ୍ପଷ୍ଟ ସୂଚନା ଦେଇଛି। କେବଳ ଆମେରିକା ନୁହେଁ ଅନ୍ୟ ଦେଶଗୁଡ଼ିକର କୂଟନୈତିକ ମିଶନ ପୂର୍ବ ଭଳି ରହିବା ସେମାନେ ଚାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ବିଦେଶୀ ଦୂତାବାସଗୁଡ଼ିକୁ ସୁରକ୍ଷା ଯୋଗାଇଦେବାକୁ ତାଲିବାନ୍‌ ମୁଖପାତ୍ର ନିକଟରେ ପ୍ରତିଶ୍ରୁତି ଦେଇଥିଲେ। ଆମେରିକା ଏହି ପ୍ରସଙ୍ଗରେ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହିଁ। ଏ ସମ୍ପର୍କରେ ଆମେରିକା ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ସହ ସକ୍ରିୟ ଭାବେ ଆଲୋଚନା ଚଳାଇଛି। ତାଲିବାନ୍‌ ପକ୍ଷରୁ ଅନେକ ବିବୃତି ଜାରି କରାଯାଉଛି। ସେଥିରୁ କେତେକ ସକାରାତ୍ମକ, ଗଠନମୂଳକ ହୋଇଥିବାବେଳେ ଆମ ଅନ୍ତର୍ଜାତୀୟ ସହଯୋଗୀମାନେ କଥା ନୁହେଁ କାମରେ ଏହା ଚାହାନ୍ତି ବୋଲି ପ୍ରାଇସ୍‌ କହିଛନ୍ତି। ଭବିଷ୍ୟତର କୂଟନୈତିକ ଉପସ୍ଥିତି, ସ୍ବୀକୃତି ଏବଂ ସହାୟତା ଆଦି ସବୁ ପ୍ରଶ୍ନର ଉତ୍ତର ସେମାନଙ୍କ କାର୍ଯ୍ୟ ଉପରେ ନିର୍ଭର କରିବ ବୋଲି ପ୍ରାଇସ୍‌ ସ୍ପଷ୍ଟ କରିଦେଇଛନ୍ତି।

ସବୁ ସରକାରୀ ସମ୍ପତ୍ତି ଫେରାଅ

ସରକାରୀ ଗାଡ଼ି, ସାମ୍ରଗୀ, ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ରଖିଥିବା ସମସ୍ତ କାବୁଲ ନାଗରିକ ତୁରନ୍ତ ସେସବୁକୁ ସପ୍ତାହେ ମଧ୍ୟରେ ହସ୍ତାନ୍ତର କରିବାକୁ ତାଲିବାନ୍‌ ନିର୍ଦ୍ଦେଶ ଦେଇଛି। ଯଦି କେହି ଏହାକୁ ନ ମାନନ୍ତି ତେବେ ତାଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଲିବାନ୍‌ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ୍‌ କହିଛନ୍ତି। ସରକାରୀ ସାମଗ୍ରୀ ରଖିଥିବା ବ୍ୟକ୍ତି ତାଲିବାନ୍‌କୁ ଦେବାପରେ ଏହାର ବିଚାର କିମ୍ବା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଜବିହୁଲ୍ଲା ଏକ ଟୁଇଟ୍‌ରେ କହିଛନ୍ତି।

Share