କ୍ଷେତରେ ଲାଗିଲା ନିଆଁ: ଜଣେ ମୃତ, ୩ ଅଗ୍ନିଶମ କର୍ମଚାରୀ ଆହତ

ଓ୍ବାଶିଂଟନ,୧୧ା୬: ଉତ୍ତର କାରୋଲିନାର ଏକ ଫାର୍ମରେ ଅଗ୍ନିକାଣ୍ଡ ଘଟିବାରୁ ଏଠାରେ ଥିବା ଏକ କଣ୍ଟେନର ବିସ୍ଫୋରଣ ହୋଇଥିଲା। ଫଳରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି। ଲେନୋର କାଉଣ୍ଟି ଜରୁରିକାଳୀନ ସେବା ନିର୍ଦ୍ଦେଶକ ମୁରି ଷ୍ଟ୍ରୋଡ୍‌ କହିଛନ୍ତି, ଶୁକ୍ରବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଅବସ୍ଥାରେ ଅଛନ୍ତି।

ଷ୍ଟ୍ରୋଡ କହିଛନ୍ତି, ଲା ଗ୍ରେଞ୍ଜର ଏକ ଫାର୍ମରେ ନିଆଁ ଲାଗିଯିବାରୁ ସେଠାକୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁକୁ ଆୟତ୍ତ କରିବା ପାଇଁ ପଠାଯାଇଥିଲା। ସେହି ସମୟରେ ସେଠାରେ ରଖାଯାଇଥିବା ଏକ କଣ୍ଟେନରରେ ବିସ୍ଫୋରଣ ହୋଇଥିଲା। ଫଳରେ କ୍ଷେତ ମାଲିକଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଅଗ୍ନିଶମ କର୍ମଚାରୀ ଆହତ ହୋଇଥିଲେ।

Share