ସାର ପଳାଉଛି ଛତିଶଗଡ଼: ଚାଷୀ ହତାଶ

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ରାଜ୍ୟରେ ସର୍ବାଧିକ ଧାନ ଫସଲ ହେଉଥିବା ବରଗଡ଼ ଜିଲାରେ ବର୍ତ୍ତମାନ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି। ଜିଲାରେ ସାର ମହଜୁଦ ଅଛି, ଅଭାବ ନାହିଁ ବୋଲି କୃଷି ବିଭାଗ କହୁଛି। କିନ୍ତୁ ଡିଏପି ଏବଂ ୟୁରିଆ ସାର ପାଇଁ ଅଧିକୃତ ସାର ବିକ୍ରେତା କିମ୍ବା ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)କୁ ଗଲେ ଆବଶ୍ୟକତା ଅନୁଯାୟୀ ସାର ମିଳୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପଟେ ବରଗଡ଼ ଜିଲା ଚାଷୀମାନଙ୍କ ପାଇଁ ଆସୁଥିବା ସାରକୁ ପଡ଼ୋଶୀ ଛତିଶଗଡ଼କୁ ଚାଲାଣ କରାଯାଇ ଚଢ଼ାଦର ତଥା କଳାବଜାରରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ତେବେ ଏ ସମ୍ପର୍କରେ ମୁଖ୍ୟ ଜିଲା କୃଷି ଅଧିକାରୀ(ସିଡିଏଓ) ମମତାରାଣୀ ତ୍ରିପାଠୀଙ୍କୁ ପଚାରିବାରୁ ସାର ବିକ୍ରି ଅନିୟମିତତା ସମ୍ପର୍କରେ ଅଭିଯୋଗ ପାଇଲେ ତତ୍କାଳ କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଏଥିପାଇଁ ଗଠିତ ଏନ୍‌ଫୋର୍ସମେଣ୍ଟ ଟିମ୍‌ ଅତର୍କିତ ଚଢ଼ାଉ କରୁଛି ଏବଂ ସମ୍ପୃକ୍ତ ସାର ବିକ୍ରେତାଙ୍କ ଲାଇସେନ୍ସ ରବ୍ଦ ଓ ନିଲମ୍ବନ କରାଯାଉଛି। ଏପର୍ଯ୍ୟନ୍ତ ୪ ସାର ବିକ୍ରେତାଙ୍କ ଲାଇସେନ୍ସ ନିଲମ୍ବନ ହୋଇଥିବାବେଳେ ୧୫ଜଣଙ୍କ ଲାଇସେନ୍ସ ରବ୍ଦ ହୋଇଥିବା ସେ କହିଛନ୍ତି। ତେବେ ବରଗଡ଼ ପାଇଁ ଆସୁଥିବା ସାର ଛତିଶଗଡ଼କୁ ଚାଲାଣ ହେଉଥିବା ଭଳି ଅଭିଯୋଗ ତାଙ୍କ ପାଖକୁ ପହଞ୍ଚି ନ ଥିବା ସିଡିଏଓ ତ୍ରିପାଠୀ କହିଛନ୍ତି। ଜିଲାରେ ଏବେ ଧାନ ରୁଆ, ବିହୁଡ଼ା କାର୍ଯ୍ୟ ଜୋର୍‌ ଧରିଛି। ତେବେ ଫସଲ ଆରମ୍ଭରୁ ଜମିକୁ ୟୁରିଆ ଏବଂ ଡିଏପି ସାରର ଆବଶ୍ୟକତା ଥିବାବେଳେ ସେହି ସାରର କୃତ୍ରିମ ଅଭାବ ଏବଂ କଳାବଜାର ଜିଲାର ଚାଷୀମାନଙ୍କୁ ଚିନ୍ତାରେ ପକାଇଦେଇଛି।
ଜିଲାରେ ସାଧାରଣତଃ ୨ଲକ୍ଷ ୫୦ହଜାର ହେକ୍ଟର ଜମିରେ ଖରିଫ ଚାଷ ହୋଇଥାଏ। ଏହାକୁ ଅନୁଧ୍ୟାନକରି କୃଷି ବିଭାଗ ଜିଲାକୁ ସାର ଯୋଗାଇ ଆସୁଛି। ବର୍ତ୍ତମାନ ସୁଦ୍ଧା ୩୧ହଜାର ୬୦୦ ମେଟ୍ରିକ ଟନ୍‌ ୟୁରିଆ, ୧୪ହଜାର ୫୦୦ ମେଟ୍ରିକ ଟନ୍‌ ଡିଏପି, ୭୮୦୦ ମେଟ୍ରିକ ଟନ୍‌ ଏମ୍‌ଓପି, ୨୨ହଜାର ୮୧୦ ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌ ଏବଂ ୪୭୦ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ସାର ଦରକାର ରହିଛି। ଜିଲା କୃଷି ବିଭାଗ ପାଖରେ ପ୍ରାୟତଃ ଏହି ପରିମାଣର ଉପରୋକ୍ତ ସାର ପହଞ୍ଚିସାରିଛି। ସେଥିମଧ୍ୟରୁ ୨୩ ହଜାର ୮୦୮ ମେଟ୍ରିକ ଟନ୍‌ ୟୁରିଆ, ୮୪୬୪ ମେଟ୍ରିକ ଟନ୍‌ ଡିଏପି, ୨୬୬୦ ମେଟ୍ରିକ ଟନ୍‌ ଏମ୍‌ଓପି, ୧୯ହଜାର ୩୨୭ ମେଟ୍ରିକ ଟନ୍‌ ଏନ୍‌ପିକେଏସ୍‌ ଏବଂ ୫୨୬ ମେଟ୍ରିକ ଟନ୍‌ ଏସ୍‌ଏସ୍‌ପି ସାର ଚାଷୀଙ୍କୁ ବିକ୍ରି ପାଇଁ ଜିଲା କୃଷି ବିଭାଗ ଜିଲାର ଲାଇସେନ୍ସପ୍ରାପ୍ତ ସାର ବ୍ରିକେତାଙ୍କୁ ଯୋଗାଇ ସାରିଥିବା ସୂଚନା ଦେଇଛି।

ଏହାସତ୍ତ୍ୱେ ଜିଲାର ଚାଷୀମାନେ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତାଙ୍କ ପାଖକୁ ଯାଇ ସାର ନ ପାଇ ନିରାଶରେ ଫେରିବା ଏବଂ କଳାବଜାରର ସମ୍ମୁଖୀନ ହେବା ଘଟଣାରୁ ସାର ବିକ୍ରିରେ ଜିଲାରେ ଏକ ବଡ଼ ଧରଣର ଅନିୟମିତତା ଚାଲିଥିବା ସନ୍ଦେହ ଦୃଢ଼ୀଭୂତ ହେବାରେ ଲାଗିଛି। ଜିଲାରେ ସାର ସଙ୍କଟ ଦେଖାଯାଇଥିବାବେଳେ ଚାଷୀଙ୍କୁ ଚଢ଼ା ଦରରେ ସାର କିଣିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି। ୟୁରିଆ ସାର ୪୫କି.ଗ୍ରା. ବସ୍ତା ପ୍ରତି ୨୬୬ ଟଙ୍କା ୫୦ପଇସା ରହିଥିବାବେଳେ ତାକୁ ୫୦୦ ଟଙ୍କାରେ ବିକ୍ରି କରାଯାଉଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଚାଷୀନେତା ସୁରେଶ ନିକାଣ୍ଟି କହିଛନ୍ତି, ଡିଏପି ସାର ୫୦କି.ଗ୍ରା. ବସ୍ତା ପ୍ରତି ୧୩୫୦ ଟଙ୍କା ରହିଥିବାବେଳେ ତାହା ମଧ୍ୟ ୨୦୦୦ ଟଙ୍କାରୁ ୨୨୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ବରଗଡ଼ ଜିଲାକୁ ଆସୁଥିବା ଡିଏପି, ୟୁରିଆ ସାର ପଡ଼ୋଶୀ ଛତିଶଗଡ଼କୁ ଚାଲାଣ ହେଉଛି ଏବଂ ଏଥିପାଇଁ ହୋଲ୍‌ସେଲର ଓ ରିଟେଲର ପରସ୍ପର ଦୋଷାରାପ କରୁଛନ୍ତି ବୋଲି ନିକାଣ୍ଟି କହିଛନ୍ତି। ସେହିପରି ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ର କହିଛନ୍ତି, କୃଷି ବିଭାଗ ବରଗଡ଼ ଜିଲାରେ ସାର ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ବୋଲି କହି ଆସୁଛି। ହେଲେ କାହିଁକି ଚାଷୀଙ୍କୁ ସାର ମିଳୁନାହିଁ ଏବଂ ସେଥିପାଇଁ ବହୁ ହଟହଟା ହେବାକୁ ପଡ଼ୁଛି। ଜିଲା କୃଷି ବିଭାଗ ଏହାର ସ୍ପଷ୍ଟୀକରଣ ଦେବା ସହ ଜିଲାରେ ଦେଖାଯାଇଥିବା ଏଭଳି ସାର ସଙ୍କଟର ତୁରନ୍ତ ସମାଧାନ କରୁ। ନଚେତ୍‌ ଆଗକୁ ଭୟଙ୍କର ଚାଷୀ ଆନ୍ଦୋଳନ ହେବ ବୋଲି ମହାପାତ୍ର ଚେତାବନୀ ଦେଇଛନ୍ତି।

 

Dharitri – Odisha’s No.1 Odia Daily