ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ ଗୁରୁବାର ୨ଦିନ ଧରି ଜିଲାର ବିଭିନ୍ନ ବ୍ଲକରେ କୃଷି ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ କରାଯାଇଥିଲା। ଚଢ଼ାଉରେ ସାରବିକ୍ରି ଅନିୟମିତତା ଧରାପଡ଼ିବା ପରେ ଜିଲାର ୧୮ ଲାଇସେନ୍ସପ୍ରାପ୍ତ ସାର ବିକ୍ରେତା(ଡିଲର୍)ଙ୍କ ଲାଇସେନ୍ସକୁ ରବ୍ଦ(ସସପେଣ୍ଡ୍) କରି ଦିଆଯାଇଛି।
ସମ୍ପୃକ୍ତ ସାର ବିକ୍ରେତାମାନେ ହେଲେ, ବରଗଡ଼ ବ୍ଲକର ଶ୍ରୀ ଭେଙ୍କଟେଶ୍ୱର ଏଜେନ୍ସିସ୍, ଶିବଶଙ୍କର ଟ୍ରେଡର୍ସ, ଶିବା ଟ୍ରେଡିଙ୍ଗ, ଭେଙ୍କଟେଶ୍ୱର କ୍ରପ୍ କେୟାର୍, ଖମାରୀ ଫର୍ଟିଲାଇଜର ଷ୍ଟୋର, ମୁନ୍ନା କୁମାର ଅଗ୍ରୱାଲ ଫର୍ଟିଲାଇଜର ଡିଲର, ମା ଦୁର୍ଗା ଏଗ୍ରୋ ଫାର୍ମ, ବିକାଶ ଫର୍ଟିଲାଇଜର୍ସ, ଭେଡ଼େନ ବ୍ଳକର ମେହେର ଏଜେନ୍ସି, ବରପାଲି ବ୍ଲକର ଓଡ଼ିଶା ଟ୍ରେଡ୍ କମ୍ବାଇନ୍, ବିଷ୍ଣୁ ଟ୍ରେଡ଼ିଂ କମ୍ପାନୀ, ବିଜେପୁର ବ୍ଲକର ସମଲେଶ୍ୱରୀ ଏଣ୍ଟରପ୍ରାଇଜେସ୍, ସୋହେଲା ବ୍ଳକର ସନ୍ଦୀପ କୁମାର ଗୁପ୍ତା ଫର୍ଟିଲାଇଜର୍ସ ଡିଲର, ବୃନ୍ଦା ମେହେର ଫର୍ଟିଲାଇଜର ଡିଲର୍ସ, ଅତାବିରା ବ୍ଲକର ନିଉ ବଂଶଲ ଟ୍ରେଡର୍ସ, ଦେବ ଟ୍ରେଡ଼ର୍ସ, ସୁଜାତା ଟ୍ରେଡ଼ର୍ସ ଏବଂ ସାହୁ ଟ୍ରେଡ଼ର୍ସ।
ଏଠାରେ ଉଲ୍ଲେଖନୀୟ, ଜିଲାରେ ବର୍ତ୍ତମାନ ଖରିଫ ଧାନ ଫସଲ ଚାଲିଥିବାବେଳେ ୟୁରିଆ ସାରର ଆବଶ୍ୟକତା ରହିଛି। ଚାଷୀଙ୍କ ଆବଶ୍ୟକତା ଅନୁଯାୟୀ, ଜିଲାକୁ ୟୁରିଆ ସମେତ ଅନ୍ୟ ସାର ମଧ୍ୟ ଆସିଛି। ମାତ୍ର ଜିଲାର ଚାଷୀଙ୍କୁ ସରକାରୀ ନିର୍ଦ୍ଧାରୀତ ଦରରେ ସାର ମିଳୁ ନଥିବାବେଳେ ସାର କଳାବଜାର ସହିତ ପଡ଼ୋଶୀ ଛତିଶଗଡ଼କୁ ସାର ଚାଲାଣ ହେଉଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଏଭଳି ଅଭିଯୋଗ ନେଇ ଗତ ୨୮ତାରିଖ ଧରିତ୍ରୀରେ ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ ଶୀର୍ଷକରେ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ଏହି ସମସ୍ୟାକୁ ଗୁରୁତ୍ୱର ସହିତ ନେଇ ସେଥିପ୍ରତି ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲାପାଳ ଆଦିତ୍ୟ ଗୋୟଲ ଜିଲାର କୃଷି ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

