Categories: ଜାତୀୟ

ବିବାଦରେ ଫେଣ୍ଟି ବ୍ୟୁଟି

ନୂଆଦିଲ୍ଲୀ,୧୩ା୨: ଦିଲ୍ଲୀରେ ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଟୁଇଟ୍‌ କରିଥିବା ଅନ୍ତର୍ଜାତୀୟ ପପ୍‌ ଷ୍ଟାର ରିହାନା ଫେଣ୍ଟିଙ୍କ ପିଛା ଛାଡ଼ୁନାହିଁ ବିବାଦ। ରିହାନାଙ୍କ କସ୍‌ମେଟିକ୍‌ ବ୍ରାଣ୍ଡ୍‌ ‘ଫେଣ୍ଟି ବ୍ୟୁଟି’ ବିରୋଧରେ ଝାଡ଼ଖଣ୍ଡର କେତେଜଣ ବ୍ୟକ୍ତି ନୂଆଦିଲ୍ଲୀସ୍ଥିତ ଡିଏଲ୍‌ଏଫ୍‌ ପ୍ରୋମେନେଡ୍‌ ମଲ୍‌ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ କହିଛନ୍ତି, ଫ୍ରାନ୍ସର ବହୁରାଷ୍ଟ୍ରୀୟ କମ୍ପାନୀ ସେଫୋରା ରିହାନାଙ୍କ ‘ଫେଣ୍ଟି ବ୍ୟୁଟି’ର ମାର୍କେଟିଂ କରିଥାଏ। ଉକ୍ତ କମ୍ପାନୀ କସ୍‌ମେଟିକ୍‌ରେ ବ୍ୟବହାର କରୁଥିବା ଅଭ୍ର ଝାଡ଼ଖଣ୍ଡର କେତେକ ଖଣିରୁ ଖନନ କରାଯାଇଥାଏ। ଖନନ କାର୍ଯ୍ୟରେ ଲକ୍ଷାଧିକ ଶିଶୁ ଶ୍ରମିକ ନିୟୋଜିତ ହୋଇଥାନ୍ତି। ରିହାନାଙ୍କ ବ୍ରାଣ୍ଡ ଅର୍ଥ ଆୟ କରି ଅନ୍ୟମାନଙ୍କୁ ଆକର୍ଷଣୀୟ କରିବା ପାଇଁ ସେହି ଶିଶୁମାନଙ୍କ ଶୈଶବକୁ ନଷ୍ଟ କରୁଛି। ତେଣୁ ରିହାନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ(ଏନ୍‌ସିପିସିଆର୍‌)ଙ୍କୁ ଅନୁରୋଧ କରି ଏକ ସ୍ମାରକପତ୍ର ଦିଆଯିବ ବୋଲି ସେବା ସଂସ୍କାର ଫାଉଣ୍ଡେଶନ ଅଧ୍ୟକ୍ଷ ଜାଭେଦ ମଲିକ କହିଛନ୍ତି। ଏହାସହ କୃଷକ ଆନ୍ଦୋଳନ ନେଇ ରିହାନାଙ୍କ ଟୁଇଟ୍‌କୁ ସେ ଦେଶ ବିରୋଧୀ କାର୍ଯ୍ୟ ବୋଲି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେହିପରି ଝାଡ଼ଖଣ୍ଡ ବାଲ୍‌ ସ୍ବେଚ୍ଛିକ ମଞ୍ଚର ସଞ୍ଜୟ ମିଶ୍ର କହିଛନ୍ତି, ଏଭଳି ବହୁରାଷ୍ଟ୍ରୀୟ କମ୍ପାନୀଗୁଡ଼ିକ ଝାଡ଼ଖଣ୍ଡ ଶିଶୁମାନଙ୍କ ଶୈଶବକୁ ଛଡ଼ାଇନେଉଛନ୍ତି। ପ୍ରକାଶ ଯେ, ଏହା ପୂର୍ବରୁ ଲିଗାଲ୍‌ ରାଇଟ୍ସ ଅବ୍‌ଜର୍ଭେଟୋରି (ଏଲ୍‌ଆର୍‌ଓ) ନାମକ ଏକ ଏନ୍‌ଜିଓ ମଧ୍ୟ ରିହାନାଙ୍କ ଫେଣ୍ଟି ବ୍ୟୁଟି ବିରୋଧରେ ଏନ୍‌ସିପିସିଆର୍‌ରେ ଅଭିଯୋଗ କରିଥିଲା।

Share