ନାରୀ ଶିକ୍ଷା ଓ ଜନ୍ମ ନିୟନ୍ତ୍ରଣ

ଡ. ଜୟଦେବ ସାହୁ

 

ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନାରୀମାନଙ୍କ ପ୍ରଜନନ କ୍ଷମତା କମିଯିବାର କାରଣ ବିଧାନସଭାରେ କହୁ କହୁ ଅଡୁଆ ପରିସ୍ଥିତିରେ ପଡିଲେ। ତାଙ୍କ ମତରେ ବିହାରରେ ପ୍ରଜନନ କ୍ଷମତା ୪.୨ ପ୍ରତିଶତରୁ ୨.୯ ପ୍ରତିଶତ ଖସିଆସିବାର କାରଣ ନାରୀଶିକ୍ଷାର ପ୍ରଗତି। ନାରୀ ଶିକ୍ଷିତ ହେଲେ ଜନ୍ମ ନିୟନ୍ତ୍ରଣ ହୋଇପାରିବ। ତେବେ ସେ ଯେଉଁ ଭାବରେ ଅବତାରଣା କଲେ ତାହା ନାରୀମାନଙ୍କ ପ୍ରତି ଅପମାନ ବୋଲି ହଇଚଇ ସୃଷ୍ଟି ହୋଇଛି। ତାଙ୍କ ମତରେ ଶିକ୍ଷିତା ନାରୀ ପୁରୁଷକୁ ସଚେତନ କରିବ ଏବଂ ଗର୍ଭବତୀ ହେବାରୁ ନିଜକୁ ରକ୍ଷା କରିପାରିବ। କିନ୍ତୁ ଏମିତି ଚିନ୍ତାଧାରା ପୁରୁଷତାନ୍ତ୍ରିକ ସମାଜରେ ହିଁ କଳ୍ପନା କରାଯାଇପାରେ। ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟକୁ ଭଲଭାବରେ ତର୍ଜମା କଲେ ଜଣାପଡ଼େ ଯେ ଜନ୍ମନିୟନ୍ତ୍ରଣ କେବଳ ନାରୀର କର୍ତ୍ତବ୍ୟ ଏବଂ ପୁରୁଷର ଏଥିରେ କୌଣସି ଭୂମିକା ନାହିଁ। ଜଣେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟ ହାସ୍ୟାସ୍ପଦ ଛଡା ଆଉ କ’ଣ ହୋଇପାରେ? ଏହା ନାରୀମାନଙ୍କ ପ୍ରତି ଥିବା ପୁରୁଷର ମନୋଭାବକୁ ଇଙ୍ଗିତ କରେ। ବିହାରର ଉପମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଯାଇ ଜନ୍ମ ନିୟନ୍ତ୍ରଣ ପାଇଁ ବିଦ୍ୟାଳୟରେ ଯୌନଶିକ୍ଷାର ଗୁରୁତ୍ୱ ସମ୍ପର୍କରେ କହିଛନ୍ତି। ସେ ଯାହା ବି ହେଉ ତାଙ୍କ ବକ୍ତବ୍ୟ ଦୁଇଟି ମୁଖ୍ୟ ବିଷୟକୁ ସୂଚାଇ ଦିଏ। ବର୍ତ୍ତମାନ ସମୟରେ ନାରୀଶିକ୍ଷା ଓ ଜନ୍ମନିୟନ୍ତ୍ରଣର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସୃଷ୍ଟିର ଆରମ୍ଭରୁ ନାରୀ ପୁରୁଷତାନ୍ତ୍ରିକ ସମାଜରେ ଅବହେଳିତ ହୋଇଆସିଛି। ଘରେ ବା ସମାଜରେ କେବଳ ପୁରୁଷର ହିଁ ଆଧିପତ୍ୟ। ଘରର ସବୁ ପୁରୁଷ ଖାଇସାରିବା ପରେ ହିଁ ସେ ବଳିଥିବା ଖାଦ୍ୟଖାଇ ଆସୁଥିଲା। ଘରର କୌଣସି ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତରେ ସେ ଭାଗ ନେଇ ପାରୁ ନ ଥିଲା। ସାମାଜିକ, ଅର୍ଥନୈତିକ କିମ୍ବା ସାଥୀ ଚୟନ କୌଣସିଥିରେ ବି ତା’ର ଭୂମିକା ନ ଥିଲା। ଭାରତୀୟ ସଭ୍ୟତାରେ ଯଦିଓ ନାରୀଙ୍କୁ ଉଚ୍ଚ ଆସନ ଦିଆଯିବାର ବ୍ୟବସ୍ଥା ଥିଲା, ତାହା କେବଳ ପୋଥିରେ ହିଁ ସୀମିତ ଥିଲା। ବିଶ୍ୱର ଅନେକ ରାଷ୍ଟ୍ରରେ ନାରୀଶିକ୍ଷା ଉପରେ ରୋକ ଲଗାଯାଇଥିଲା। ଊନ୍ନବିଂଶ ଶତାବ୍ଦୀର ଆରମ୍ଭରେ ନାରୀ ଜାଗରଣର ଆରମ୍ଭ ହେଲା। ୧୮୬୮ ମସିହାରେ ଲଣ୍ଡନ ବିଶ୍ୱବିଦ୍ୟାଳୟ ସର୍ବ ପ୍ରଥମେ ନାରୀଶିକ୍ଷାର ପ୍ରଗତି ପାଇଁ ଆଗେଇ ଆସିଥିଲା। ଭାରତରେ ମଧ୍ୟ ସାବିତ୍ରୀ ବାଈ ଫୁଲେ ଝିଅମାନଙ୍କ ଶିକ୍ଷା ପାଇଁ ସ୍କୁଲ ପ୍ରତିଷ୍ଠା କଲେ। ପ୍ରଗତି ହେତୁ ନାରୀ ନିଜର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ସଚେତନ ହେଲା। ପୁରୁଷ ଓ ନାରୀ ଭଗବାନ୍‌ଙ୍କ ଦୁଇ ସୁନ୍ଦର କୃତି। କେହି କାହାଠାରୁ ନୂ୍ୟନ ନୁହନ୍ତି ବୋଲି ମହାମନୀଷୀମାନେ ତାଙ୍କ ଲେଖନୀ ଦ୍ୱାରା ସୂଚାଇ ଦେଲେ। ନର୍‌ୱେର ନାଟ୍ୟକାର ହେନରିକ ଇବସେନ ‘ଗୋଟିଏ ଖେଳନାର ଘର’ ନାଟକରେ ନାୟିକା ନୋରା ଭଳି ଚରିତ୍ର ମାଧ୍ୟମରେ ପୁରୁଷର ବୃଥା ଅହଂକାରକୁ ଚୂରମାର କରିଦେଲେ। ନୋରାକୁ କେବଳ ଏକ ଭୋଗ୍ୟବସ୍ତୁ ଓ ସନ୍ତାନ ଜନ୍ମ କରିବାର ଏକ ଯନ୍ତ୍ର ବୋଲି ବିବେଚନା କରୁଥିଲେ ପତି ଟୋରଭାଲଡ ହେଲମର। ପୁତ୍ର କନ୍ୟାକୁ ଯତ୍ନ ନେବାର ଅଧିକାର ନ ଥିଲା ସ୍ତ୍ରୀର। ଘରର ସବୁ ସିଦ୍ଧାନ୍ତ ନେଉଥିଲେ ହେଲମର। ଏପରିକି ତାଙ୍କ ସ୍ବାମୀଙ୍କ ଜୀବନ ରକ୍ଷା କରିବା ପାଇଁ ଟଙ୍କା କରଜ କରିବାର ଅଧିକାର ନ ଥିଲା ତାଙ୍କର। ଶେଷରେ ଅତିଷ୍ଠ ହୋଇ ସେ ସ୍ବାମୀ ଓ ଘର ପରିତ୍ୟାଗ କଲେ। ଏହି ନାଟକ ନାରୀବାଦ ପାଇଁ ପଥ ପରିଷ୍କାର କଲା। ଶିକ୍ଷିତା ନାରୀ ତା’ର ଅଧିକାର ପାଇଁ ଲଢିଲା। ପୂର୍ବରୁ ପରିବାର ହିଁ ନାରୀ କେତେ ସନ୍ତାନର ଜନନୀ ହେବ ତାହା ନିର୍ଦ୍ଧାରଣ କରୁଥିଲା। କନ୍ୟାସନ୍ତାନ ଜନ୍ମ ହେବାର ସମ୍ଭାବନା ଥିଲେ ତା’ର ଜନ୍ମ ହେବା ପୂର୍ବରୁ ହତ୍ୟା କରୁଥିଲେ। ଏଥିରେ ନାରୀ ଥିଲା ନାଚାର ସେ ଅନେକ ସନ୍ତାନର ଜନନୀ ହେବାକୁ ଇଚ୍ଛା ବିରୋଧରେ ବାଧ୍ୟ ହେଉଥିଲା।
ଏବେ ଯୁଗ ବଦଳିଛି। ନାରୀ ଶିକ୍ଷିତ ହୋଇଛି। କ’ଣ କଲେ ପରିବାର ନିୟୋଜନ ହୋଇପାରିବ ସେ ସଚେତନ। ଅଧିକ ସନ୍ତାନର ମା’ ହେବା ପାଇଁ ପ୍ରତିରୋଧ କରୁଛି। ଶିକ୍ଷାରେ ନିମଗ୍ନ ହୋଇ ସେ ବିବାହ ବୟସକୁ ଘୁଞ୍ଚାଇ ପାରିଛି। ବିବାହ ଜୀବନର ସବୁ କିଛି ନୁହେଁ ବୋଲି ଅନୁଭବ କରିପାରିଛି ନାରୀ। ଏବେ ଶିକ୍ଷିତା ନାରୀ ୨୫ ବା ତା’ଠୁ ଅଧିକା ବର୍ଷରେ ବିବାହ କରୁଛନ୍ତି ଯାହା ଫଳରେ ପ୍ରଜନନ ସମୟ କମ୍‌ ହୋଇପାରୁଛି। ସେ ଅନୁଭବ କରୁଛି ଯେ ବଂଶ ରକ୍ଷା ପାଇଁ ଗୋଟିଏ ପୁଅ ବା ଝିଅ ହେଲେ ଚଳିବ। ଏପରିକି କିଛି ଶିକ୍ଷିତ ପୁରୁଷ ଓ ନାରୀ ସନ୍ତାନ ଜନ୍ମ ଦେବା ସପକ୍ଷରେ ନାହାନ୍ତି। ଆଜିକାଲି ବହୁ ମହିଳା ସ୍ବାସ୍ଥ୍ୟ ସଚେତନ ହେବା ଦ୍ୱାରା ଜନ୍ମ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେଉଛନ୍ତି। ଏକ ଆକଳନରୁ ଜଣାପଡେ ଯେ ଭାରତରେ ୧୯୭୦ ମସିହାରେ ୧୩%, ୧୯୯୭ରେ ୩୫% ଓ ୨୦୧୫ରେ ୫୮% ମହିଳା ଗର୍ଭ ନିରୋଧକ ବ୍ୟବହାର କରିଥିଲେ। ଏହା ଦ୍ୱାରା ଜନ୍ମ ହାର ନିୟନ୍ତ୍ରଣ ହେଉଥିବାର ଲକ୍ଷ୍ୟ କରାଯାଏ। ୧୯୬୬ରେ ଜଣେ ମହିଳା ହାରାହାରି ୫.୭ ସନ୍ତାନ ଜନ୍ମ ଦେଉଥିବା ବେଳେ ଏହା ଏବେ ୨.୩ ସନ୍ତାନକୁ ଖସି ଆସିବା ନିଶ୍ଚିତ ଭାବେ ଉତ୍ସାହଜନକ। ଏହା ନାରୀ ଶିକ୍ଷାର ଫଳ।
ଭାରତ ବର୍ଷର ଲୋକସଂଖ୍ୟା ବର୍ତ୍ତମାନ ୧୪୦ କୋଟିରୁ ଅଧିକ। ଯେଉଁ ମାତ୍ରାରେ ଜନସଂଖ୍ୟା ବଢିଚାଲିଛି, ଜନସଂଖ୍ୟାରେ ଭାରତ ବିଶ୍ୱର ଏକ ନମ୍ବର ରାଷ୍ଟ୍ର ହେବ। ଏବେଠୁ ଯଦି ଜନ୍ମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆ ନ ଯାଏ ତେବେ ଆଗକୁ ଭାରତ ପାଇଁ ଘୋର ସମସ୍ୟା ଦେଖାଦେବ। ଏଥିପାଇଁ ପୁରୁଷ ଓ ନାରୀ ଉଭୟଙ୍କର ବାକରଣର ଆବଶ୍ୟକତା ରହିଛି। ଅନ୍ୟ ଏକ ଆକଳନରୁ ଜଣାପଡେ ଯେ ପ୍ରତି ୧୦ ଜଣ ପୁରୁଷରେ ଜଣେ ମାତ୍ର ଜନ୍ମ ନିୟନ୍ତ୍ରଣ କଥା ଚିନ୍ତା କରୁଥିବା ବେଳେ ୧୦ଜଣରୁ ୪ଜଣ ମହିଳା ଜନ୍ମ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଅନ୍ତି। ପ୍ରାୟ ୪୦ ପ୍ରତିଶତ ପୁରୁଷ ଭାବନ୍ତି ଯେ ଜନ୍ମ ନିୟନ୍ତ୍ରଣ ନାରୀର କାର୍ଯ୍ୟ। ଏଭଳି ଭାବନା ଆମ ସମାଜ ପାଇଁ ଅହିତକର। ପୁରୁଷ ନାରୀକୁ ଏ କ୍ଷେତ୍ରରେ ସହଯୋଗ କଲେ ଜନସଂଖ୍ୟାକୁ ନିୟନ୍ତ୍ରଣରେ ରଖାଯାଇ ପାରିବ।
କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ଭବାନୀପାଟଣା
ମୋ-୭୯୭୮୯୯୦୦୧୬


Enter your email to get our daily news in your inbox.

All Right Reserved By Dharitri.Com

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri