ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ସରପଞ୍ଚ ଗିରଫ

ମାର୍ଶାଘାଇ, ୨୮ା୮ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ଗାଳିଗୁଲଜ, ଧମକ ଦେବା ଅଭିଯୋଗରେ ପୋଲିସ ମାର୍ଶାଘାଇ ପଞ୍ଚାୟତ ସରପଞ୍ଚ ଭାଗବତ ବେହେରାଙ୍କୁ ଗିରଫ କରିଛି। ମହିଳା ଡାକ୍ତର ଉପାଳି ନିବେଦିତା ଦାସ ମାର୍ଶାଘାଇ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ସେ ଗୁରୁବାର ବିଳମ୍ବିତ ରାତିରେ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ସମୟରେ ୩ଜଣ ଯୁବକ ମଦ୍ୟପାନ କରି ମୋ ରୁମରେ ପଶିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜକୁ ମାର୍ଶାଘାଇ ସରପଞ୍ଚ କହିଥିଲେ। ଆମକୁ ଚିହ୍ନିନା, ଏଠାରୁ ବିଦା କରିଦେବୁ କହି ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯିବା ବେଳେ ହତ୍ୟା ସହ ବଳାତ୍କାର ଧମକ ଦେଇଥିଲେ। ଅଭିଯୋଗ ଆଧାରରେ ମାର୍ଶାଘାଇ ଥାନା ପୋଲିସ ଏକ ମାମଲା(ନଂ.୩୬୦/୨୬) ରୁଜୁ କରି ସରପଞ୍ଚ ଭାଗବତ ବେହେରାଙ୍କୁ ଶୁକ୍ରବାର ଗିରଫ କରି କୋର୍ଟଚାଲାଣ କରାଯାଇଛି। ଅନ୍ୟ ୨ ଜଣ ଫେରାର ଅଛନ୍ତି ବୋଲି ଆଇଆଇସି ତପନ ନାୟକ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Share