Categories: ଜାତୀୟ

ପାକ୍‌ ବାନ୍ଧବୀଙ୍କ ଲାଗି ଫସିଲେ

ନୂଆଦିଲ୍ଲୀ,୧୮।୭: ଭାରତ-ପାକିସ୍ତାନ ସୀମାନ୍ତରୁ ଜଣେ ମହାରାଷ୍ଟ୍ରର ଯୁବକଙ୍କୁ ଗିରଫ କରାଯାଇଛି। ପାକିସ୍ତାନର ଜଣେ ବାନ୍ଧବୀଙ୍କୁ ଦେଖାକରିବା ଲାଗି ସେ ଗୁଜରାଟର କଚ୍ଛ ଦେଇ ପାକିସ୍ତାନ ଯାଉଥିବାବେଳେ ବିଏସ୍‌ଏଫ୍‌ ପକ୍ଷରୁ ତାଙ୍କୁ ଗିରଫ କରାଯାଇଛି। ମହାରାଷ୍ଟ୍ରର ଓସ୍‌ମାନାବାଦ ନିବାସୀ ସିଦ୍ଦିକ ମହମ୍ମଦ ଜିଶାନ ଫେସ୍‌ବୁକ ଓ ହ୍ବାଟ୍ସଆପ୍‌ ଜରିଆରେ ସମ୍ପର୍କ ରଖିବା ସହ ବାନ୍ଧବୀଙ୍କୁ ଦେଖାକରିବା ଲାଗି ଦୀର୍ଘ ୧୨ ଶହ କି.ମି. ଅତିକ୍ରମ କରିଥିଲେ। କରାଚୀ ଅନ୍ତର୍ଗତ ଶାହା ଫୈଜଲରେ ବାନ୍ଧବୀଙ୍କ ଘର। ଗୁଗଲ ମ୍ୟାପ୍‌ ଜରିଆରେ ସେ ତାଙ୍କ ଘରେ ପହଞ୍ଚିବା ଲାଗି ଆଶା ରଖିଥିଲେ। କଚ୍ଛର ରନରେ ବିଏସ୍‌ଏଫ୍‌ ପକ୍ଷରୁ ସିଦ୍ଦିକଙ୍କୁ ଗିରଫ କରାଯିବା ପରେ ତାଙ୍କଠାରୁ ଏଟିଏମ୍‌ କାର୍ଡ, ପାନ୍‌ କାର୍ଡ, ଆଧାର କାର୍ଡ ଆଦି ଜବତ କରାଯାଇଛି। ପାକ୍‌ ସୀମା ନିକଟରେ ପହଞ୍ଚିବା ଲାଗି ସେ ଘରୁ ଏକ ବାଇକ୍‌ରେ ଆସିଥିଲେ। ମହାରାଷ୍ଟ୍ର ପୋଲିସର ଏକ ନିଖୋଜ ମାମଲା ସମ୍ପର୍କରେ ବିଏସ୍‌ଏଫ୍‌କୁ ଅବଗତ କରାଯିବା ପରେ େaମାବାଇଲ ଫୋନ୍‌ ଟ୍ରାକିଂକରି ସିଦ୍ଦିକଙ୍କୁ ସୀମାରୁ ଗିରଫ କରାଯାଇଥିଲା। ଅଧିକ ଅନୁସନ୍ଧାନ ଲାଗି ଗିରଫ ସିଦ୍ଦିକଙ୍କୁ ପୋଲିସ ଜିମା ଦିଆଯାଇଛି।

Share