ସୋନାଲିସା ଓ ମିହିର ରଞ୍ଜନଙ୍କୁ ସମ୍ମାନିତ କଲା ସମ୍ବର୍ଦ୍ଧନା ମଞ୍ଚ

ପାଟଣା,୨୫।୮(ବୀର କିଶୋର ଦାଶ): ମେଧାବୀ ଛାତ୍ରଛାତ୍ରୀ ସମ୍ବର୍ଦ୍ଧନା ମଞ୍ଚ, ସ୍ୱାମ ପାଟଣା ପକ୍ଷରୁ ମଙ୍ଗଳବାର ପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏକ ବିଶେଷ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ଜିଲାର ଦୁଇଜଣ କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।

ବିଦ୍ୟାଳୟର ପ୍ରଧାନଶିକ୍ଷକ ପାର୍ଥସାରଥି ବେଜ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ବଡ଼ପାଟଣା ସରପଞ୍ଚ ବିନତୀ ବାନରା ମୁଖ୍ୟ ଅତିଥି ଏବଂ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଜିଲା ସମ୍ପାଦକ କମଳାକାନ୍ତ ପତି ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ସେହିପରି ପିପିଳିଆ ଡିଗ୍ରୀ କଲେଜ ଅଧ୍ୟକ୍ଷ ଦୈତ୍ୟାରି ମହାନ୍ତ, ଅନୁଷ୍ଠାନର ଆବାହକ ଥା ସାମାଜିକ କର୍ମୀ ବିଦ୍ୟାଧର ମହାନ୍ତ, ଅବସରପ୍ରାପ୍ତ ଶିକ୍ଷକ ବଳଭଦ୍ର କର, ପ୍ରସନ୍ନ କୁମାର ପରିଡ଼ା, ଶାନ୍ତନୁ କୁମାର ସାହୁ ଏବଂ କୁଡ଼ୁମି ସେନାର ରାଜ୍ୟ ଉପସଭାପତି ମିତ୍ରଭାନୁ ମହାନ୍ତ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

ଏହି ଅବସରରେ ଚମ୍ପୁଆ ବ୍ଲକ୍‌ ବାଙ୍କୀଆ ଗ୍ରାମର ସୋନାଲିସା ମହାନ୍ତ ଏବଂ ଘଟଗାଁ ବ୍ଲକ୍‌ ଆମ୍ବୁଆପଡ଼ା ଗ୍ରାମର ମିହିର ରଞ୍ଜନ ମହାନ୍ତଙ୍କୁ ଉପଢୌକନ, ମାନପତ୍ର ଓ ନଗଦ ଅର୍ଥରାଶି ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥିତ ଅତିଥିମାନେ କୃତୀ ଛାତ୍ରଛାତ୍ରୀଙ୍କ ନିଷ୍ଠା ଓ ପରିଶ୍ରମର ପ୍ରଶଂସା କରିବା ସହ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

Dharitri – Odisha’s No.1 Odia Daily

Share