ଭୋଜିଭାତର ଆୟୋଜନ, ମାନୁନାହାନ୍ତି କଟକଣା

ଉମରକୋଟ, ୩ା୨(ସ୍ବ.ପ୍ର.) ବିଜେଡି ପରେ ଭାଜପା। ଶାସକ ବିଜେଡି ଦଳକୁ ଜାବାବ ଦେବା ପାଇଁ ସମାନ ରଣନୀତି ଆପଣାଇଛି ଭାଜପା। ବିଜେଡି ଭଳି ଭାଜପା ମଧ୍ୟ ଶତାଧିକ ଲୋକଙ୍କୁ ନେଇ ନିର୍ବାଚନୀ ସଭା ଓ ଭୋଜିଭାତର ଆୟୋଜନ କରିଛି। ଶାସକ ଦଳକୁ ଜବାବ ଦେବାକୁ ଯାଇ ଏପରି କରିବାକୁ ବାଧ୍ୟ ହୋଇଛୁ ବୋଲି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।
ଉମରକୋଟ ବ୍ଳକ ପୁଜାରୀଗୁଡ଼ାରେ ଜିଲା ପରିଷଦ ଜୋନ୍‌-୨ ଭାଜପା ପ୍ରାର୍ଥୀ ଜ୍ୟୋତ୍ସ୍ନା ବିଶ୍ବାସଙ୍କ ପାଇଁ ଏକ ନିର୍ବାଚନ ପ୍ରଚାର ସଭା ଆୟୋଜନ କରାଯାଇଛି। ଏହି ସଭାରେ ଉମରକୋଟ ବିଧାୟକ ନିତ୍ୟନନ୍ଦ ଗଣ୍ଡଙ୍କ ସମେତ ୯ ପଞ୍ଚାୟତରୁ ଶତାଧିକ ଲୋକ ଯୋଗଦେଇଥିଲେ। ବିଧାୟକ ନିତ୍ୟାନନ୍ଦ ଗଣ୍ଡ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିଥିଲେ। ଶାସକ ଦଳର ତୁଙ୍ଗ ନେତା ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ହାରିଯିବା ଭୟରେ ଶାସକ ଦଳର ନେତାମାନେ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ କରୁଥିବା ବିଧାୟକ ଗଣ୍ଡ ଅଭିଯୋଗ କରିଛନ୍ତି। ଶାସକ ଦଳ ଦ୍ୱାରା କରାଯାଉଥିବା ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଂଘନ ଜବାବରେ ଭାଜପା ମଧ୍ୟ ଏପରି କରିବାକୁ ବାଧ୍ୟ ହେଉଛି ବୋଲି ସେ କହିଛନ୍ତି।
ଗତ ପଞ୍ଚାୟତ ନିର୍ବାଚନରେ ଏହି ଆସନରୁ ଭାଜପାର ଭଜନାଥ ଗଣ୍ଡ ବିପୁଳ ସଂଖ୍ୟାରେ ଭୋଟ ପାଇ ନିର୍ବାଚିତ ହୋଇଥିଲେ। ତେଣୁ ଏହି ଆସନକୁ ପୁଣି ଥରେ ହାତେଇବାକୁ ଭାଜପା ନେତୃବୃନ୍ଦ ଉଦ୍ୟମ ଜାରି ରଖିଛନ୍ତି। ସେହିପରି ବିଜେଡ଼ି ମଧ୍ୟ ଏହାକୁ କବ୍‌ଜା କରିବା ପାଇଁ ଚେଷ୍ଟା ଜାରି ରଖିଥିବା ବେଳେ କଂଗ୍ରେସ ମଧ୍ୟ ଦୌଡ଼ରେ ରହିଛି। କଂଗ୍ରେସ ପ୍ରାର୍ଥୀ ଦୀପା ରାୟ ଘରକୁ ଘର ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି। ତେବେ ଏହି ଜିଲା ପରିଷଦ ଆସନକୁ କିଏ ହାତେଇବ ତାହା ଦେଖିବାକୁ ବାକି ଥିବା ବେଳେ, ଏଠାରେ ଭାଜପାର ଜ୍ୟୋତ୍ସ୍ନା ବିଶ୍ବାସ, ବିଜେଡିର ଛାୟା ବିଶ୍ବାସ ଏବଂ କଂଗ୍ରେସର ଦୀପା ରାୟଙ୍କ ମଧ୍ୟରେ ତ୍ରିମୁଖୀ ଲଢେଇ ହେବ ବୋଲି ଅନୁମାନ କରାଯାଉଛି।