ଟୋକନ ମିଆଦୀ ଶେଷ ହେବାର ଭୟ ଘାରିଲା

ନୟାଗଡ଼ ଅଫିସ,୩।୨:ଧାନ କ୍ରୟ କେନ୍ଦ୍ର(ପାକ୍ସ)ରେ ଟୋକନ କ୍ରମାଙ୍କ ଅନୁଯାୟୀ ଧାନ କିଣା ଯାଉ ନାହିଁ। ଟୋକନ ମିଆଦି ଶେଷ ହେବାର ଭୟ ଘାରିଛି । କେତେଜଣ ଚାଷୀଙ୍କ ଟୋକନ୍‌ ଅବଧି ସରିବାର ସମୟ ୨ରୁ ୧୧ ଦିନ ଥିବାବେଳେ ଟାର୍ଗେଟ ନାହିଁ କହି ଧାନ କିଣା ଯାଉ ନାହିଁ । ପ୍ୟାକ୍ସ ସମ୍ପାଦକଙ୍କ ମନମାନି ଯୋଗୁ ଏଭଳି ଅବ୍ୟବସ୍ଥା ଦେଖା ଦେଇଛି। ଜିଲା ଯୋଗାଣ ବିଭାଗକୁ ଭୁଲ ତଥ୍ୟ ଦେଇ ପାକ୍ସ ସମ୍ପାଦକ ଖସି ଯିବାକୁ ଉଦ୍ୟମ କରୁଛନ୍ତି ା ଟୋକନ ଅବଧି ସରିଲେ ପାକ୍ସ ସମ୍ପାଦକଙ୍କ ବହିଷ୍କାର ଦାବିରେ ଆନ୍ଦୋଳନ କରାଯିବବୋଲି ଚାଷୀନେତାମାନେ ଚେତାବନୀ ଦେଇଛନ୍ତି।
ଓଡ଼ଗଁା ବ୍ଲକର ବରସାହି ପାକ୍ସରେ କେତେଜଣ ଚାଷୀଙ୍କ ଟୋକନ ଅବଧି ସରିବ ବୋଲି ସୂଚନା ମିଳିଛି ା ଏଠାରେ ୨ଥର ଟାର୍ଗେଟ ବଢ଼ିଥିଲେ ହେଁ ଅଧିକାଂଶ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ସ୍ଥାନୀୟ ସମ୍ପାଦକ ଟୋକନ କ୍ରମାନ୍ବୟରେ ନ କିଣି ମନଇଛା ଧାନ କିଣିଥିବାରୁ ଏଭଳିଆ ଅସୁବିଧା ହୋଇଛି । ବରସାହି ପରି ଜିଲାରେ ଅନେକ ପାକ୍ସ ରହିଛି। ଯେଉଁଥିରେ ଚାଷୀଙ୍କ ଟୋକନ ଅବଧି ସରିପାରେ । ପ୍ରଶାସନ ପକ୍ଷରୁ ଏଥିପ୍ରତି ଗୁରୁତ୍ୱ ନ ଦେଲେ ଜିଲାରେ ଚାଷୀ ଆନ୍ଦୋଳନ ଦେଖା ଦେବ ବୋଲି ମତ ପ୍ରକାଶ ପାଇଛି । ଏନେଇ କୃଷକ ନେତା ରଣଜିତ୍‌ ଦଳବେହେରା କୁହନ୍ତି, ଧାନ କିଣିବାକୁ ହେଲେ ଟୋକନ କ୍ରମାନୁସାରେ କିଣିବାକୁ ପଡିବ । ଏନେଇ ସରକାରୀ ନିର୍ଦ୍ଦେଶ ଅଛି । ହେଲେ ପାକ୍ସ ସମ୍ପାଦକମାନେ ଏହି ନିୟମକୁ ମାନୁ ନ ଥିବାରୁ ସମସ୍ୟା ବଢ଼ିବାକୁ ଯାଉଛି। ଟୋକନର ଅବଧି ୧ମାସ ରହୁଛି । ହେଲେ ୨୮ ଦିନ ହେଲେ ଟୋକନ କାମ କରୁନାହିଁ ା ଏଣୁ ୨୮ ଦିନ ପୂର୍ବରୁ ଧାନ କିଣା ହେବା ଦରକାର । କେତେଜଣ ସମ୍ପାଦକ ନିଜ ଅନୁଗତମାନଙ୍କୁ ଆଗୁଆ ସୁବିଧା ଦେଉଥିବାବେଳେ ଟୋକନ ଅବଧି ସରିବାକୁ ସ୍ବଳ୍ପ ଦିନ ରହୁଥିବା ଚାଷୀ ହଇରାଣ ହେବାକୁ ଯାଉଛନ୍ତି । ଜିଲା ପ୍ରଶାସନ ଏଥିପ୍ରତି ଲଗାମ ନ ଦେଲେ ଚାଷୀ ଆନ୍ଦୋଳନକୁ ରୋକି ହେବନି । ନୟାଗଡ଼ ଜିଲା ଯୋଗାଣ ଅଧିକାରୀ ତିଳୋତ୍ତମା ପ୍ରଧାନ ବରସାହି ପାକ୍ସର ଅବ୍ୟବସ୍ଥାକୁ ସ୍ବୀକାର କରିଛନ୍ତି। ଏପରିକି ଅନ୍ୟ କେତେକ ପାକ୍ସରେ ଏପରି ଅସୁବିଧା ଦେଖା ଦେଇଛି ବୋଲି କହିଛନ୍ତି। ଏଣୁ ଟୋକନ କ୍ରମାନୁସାରେ ଧାନ କିଣିଲେ ଟୋକନ ଅବଧି ସରିବ ନାହିଁ ବୋଲି ସେ କହିଛନ୍ତି । ଏନେଇ ପ୍ୟାକ୍ସ ସମ୍ପାଦକମାନଙ୍କୁ ପୁଣି ଥରେ ଅବଗତ କରାଯାଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି ା